କଲିକତା ହାଇକୋର୍ଟଙ୍କ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି; ବିନା ଅନୁମତିରେ ଗିରଫ କରିପାରିବ ନାହିଁ ପୁଲିସ୍‌

କୋଲକାତା: ବିଜେପି ନେତା ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କଲିକତା ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କଲିକତା ହାଇକୋର୍ଟ କହିଛନ୍ତି ଯେ ଶୁୁଭେନ୍ଦୁ ଅଧିକାରୀଙ୍କୁ ବିନା ଅନୁମତିରେ ବର୍ତ୍ତମାନର ତଥା ଭବିଷ୍ୟତର କୌଣସି ମାମଲାରେ ଗିରଫ କରାଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଶୁଭେନ୍ଦୁ ଅଧିକାରୀ ତାଙ୍କର ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଫସି ଯାଇଛନ୍ତି। ଏହି ଘଟଣାରେ ତଦନ୍ତର ସମ୍ମୁଖୀନ ହେବାପାଇଁ ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ବିରୋଧୀଦଳର ନେତା ଶୁଭେନ୍ଦୁ ଆଧିକାରୀଙ୍କୁ ସମନ ଜାରି କରିଥିଲେ। ଆଜି (ସୋମବାର) ଭବାନୀ ଭବନ ଠାରେ ଥିବା ସିଆଇଡି ମୁଖ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନନ୍ଦିଗ୍ରାମ ବିଜେପି ବିଧାୟକ ଅଧିକାରୀଙ୍କୁ ଜାରି ସମନରେ ନିର୍ଦ୍ଦେଶ ଦିଆଯାଇଥିଲା।

ଅଧିକାରୀଙ୍କ ଅଙ୍ଗରକ୍ଷୀ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସିଆଇଡି ଏକ ଟିମ୍‌ ଗଠନ କରିଥିଲା। ଶୁଭବ୍ରତ ତାଙ୍କ ନିଜ ରିଭଲଭର ବ୍ୟବହାର କରି ନିଜକୁ ଉପରକୁ ଗୁଳି କରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ତେବେ, ଚକ୍ରବର୍ତ୍ତୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି କଣ୍ଟାଇ ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଅନୁସନ୍ଧାନ ଆରମ୍ଭ କରି ଏପର୍ଯ୍ୟନ୍ତ ୧୧ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସାରିଲାଣି କ୍ରାଇମ୍‌ ବ୍ରାଞ୍ଚ। ଏହାପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତକାରୀ ଟିମ୍‌ ପୂର୍ବ ମେଦିନୀପୁରରେ ଥିବା ବିଧାୟକ ଅଧିିକରୀଙ୍କ ବାସଭବନ ‘ଶାନ୍ତିକୁଞ୍ଜ’କୁ ଯାଇ ସେଠାରେ ମଧ୍ୟ ତଦନ୍ତ କରିଥିଲେ।

ତେବେ, ୨୦୧୮ରେ ଘଟିଥିବା ଏହି ଗୁଳି ବିନିମୟରେ ଶୁଭେନ୍ଦୁ ଅଧିକାରୀଙ୍କ ଅଙ୍ଗରକ୍ଷୀଙ୍କ ମୃତ୍ୟୁ ଘଟଣାରେ କଲିକତା ହାଇକୋର୍ଟରୁ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିିକାରୀଙ୍କୁ ଆଜି ସୁରକ୍ଷା ମିଳିଛି। ତାଙ୍କ ଓକିଲ କହିଛନ୍ତି ଯେ ଗତ ବର୍ଷ ତୃଣମୂଳ ଛାଡ଼ି ବିଜେପରେ ଯୋଗ ଦେଇ ନିର୍ବାଚନ ଜିତିବା ପରେ ରାଜନୈତିକ ଆକ୍ରୋଶମୂଳକ ଭାବେ ତାଙ୍କୁ ଏହି ଘଟଣାରେ ତଦନ୍ତର ପରିସରଭୁକ୍ତ କରାଯାଇଛି। ଏବଂ କୋଲକାତା ପୁଲିସ୍‌ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଗିରଫ କରିବା ପାଇଁ ପ୍ରୟାସ ଚଳାଇଛି।

ସମ୍ବନ୍ଧିତ ଖବର