୩୫ ଟଙ୍କା ହଜିଯିବାରୁ ନିୟମ କରିବା ପାଇଁ ଶିକ୍ଷାର୍ଥୀଙ୍କୁ ମନ୍ଦିରକୁ ନେଲେ ଶିକ୍ଷୟିତ୍ରୀ

ପାଟନା: ତାଙ୍କ ପର୍ସରୁ ୩୫ ଟଙ୍କା ଚୋରି କରି ନାହାନ୍ତି ବୋଲି ଠାକୁରଙ୍କ ନାଁ’ରେ ନିୟମ କରି କହିବାକୁ ସ୍କୁଲ୍‌ ପିଲାଙ୍କୁ ମନ୍ଦିରକୁ ନେଇଯାଇଥିବା ବିହାର ରାଜ୍ୟର ବାଙ୍କା ଜିଲ୍ଲାର ଜଣେ ଶିକ୍ଷୟିତ୍ରୀଙ୍କୁ ଶୁକ୍ରବାର ଦିନ ଶିକ୍ଷା ବିଭାଗ ବଦଳି କରିଛି।

ଶିକ୍ଷୟିତ୍ରୀଙ୍କ ଏତାଦୃଶ ଆଚରଣ ଯୋଗୁଁ ଗ୍ରାମବାସୀମାନେ କ୍ଷୁବ୍ଧ ହୋଇ ତହିଁଆର ଦିନ ସ୍କୁଲ୍‌ ପରିସରରେ ବିଶୃଙ୍ଖଳା କରିବା ପରେ ସରକାରୀ କର୍ତ୍ତୃପକ୍ଷ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ଦିନ ଜିଲ୍ଲାର ରାଜୌନ ବ୍ଲକ୍‌ ଅନ୍ତର୍ଗତ ଆସ୍‌ମାନୀଛକ ଗାଁ’ ସ୍କୁଲ୍‌ରେ ପିଲାମାନେ ପହଞ୍ଚିବା ପରେ ଶିକ୍ଷୟିତ୍ରୀ ନୀତୁ କୁମାରୀ ସେମାନଙ୍କୁ ପର୍ସରେ ରଖିଥିବା ପାଣି ବ‌ୋତଲ ଆଣିବାକୁ କହିଲେ।

Image Courtesy of Times of India

ତା’ର କିଛି ସମୟରେ ପରେ ନୀତୁ କୁମାରୀ ଦେଖିଲେ ପର୍ସରେ ୩୫ ଟଙ୍କା ନାହିଁ। ଏକଥା ପଚାରିବାରୁ ପିଲାମାନେ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ତେଣୁ, ଶିକ୍ଷୟିତ୍ରୀ ନୀତୁ ସେମାନଙ୍କୁ ନିକଟବର୍ତ୍ତୀ ମନ୍ଦିରକୁ ନେଇ ଯାଇ କହିଲେ ‌କି, ସେମାନେ ଟଙ୍କା ଚୋରି କରିନାହାନ୍ତି ବୋଲି ଠାକୁରଙ୍କ ନାଁ’ରେ ନିୟମ କରି କୁହନ୍ତୁ।

ସୂଚନାଯୋଗ୍ୟ, ସେଦିନ ସ୍କୁଲ୍‌ରେ ସମୁଦାୟ ୧୨୨ଜଣ ପିଲା ଉପସ୍ଥିତ ଥିଲେ। ସ୍କୁଲ୍‌ର ଶିକ୍ଷକ ସଂଖ୍ୟା ୨ କିନ୍ତୁ, ସେଦିନ ସ୍କୁଲ୍‌କୁ ଯାଇଥିଲେ କେବଳ ନୀତୁ।

ଗ୍ରାମବାସୀ ଓ ଅଭିଭାବକମାନେ ନୀତୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲ୍‌ରେ ପଢ଼ାପଢ଼ି କରାଇ ଦେଲେ ନାହିଁ। ଫଳରେ ଶୁକ୍ରବାର ଦିନ ବ୍ଲକ୍‌ ଏଜୁକେସନ୍‌ ଅଫିସର କୁମାର ପଙ୍କଜ ନୀତୁଙ୍କୁ ବଦଳି କରାଯାଇଥିବା କଥା ଘୋଷଣା କରିବା ସହିତ କହିଲେ କି, ଛାତ୍ରଛାତ୍ରୀମାନଙ୍କୁ ଏମିତି ଅବିଶ୍ବାସ କରିବା ଅନୁଚିତ।

ସମ୍ବନ୍ଧିତ ଖବର