ବିଲକିସ ବାନୋ ଦୁଷ୍କର୍ମକାରୀଙ୍କୁ ଖଲାସ ବିବାଦ; ମୋ ଅଧିକାର ଫେରାଇଦିଅ: ବିଲ୍‌କିସ

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାହୁଲ

ନୂଆଦିଲ୍ଲୀ: ଆଜୀବନ ଜେଲଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ସ୍ବାଧୀନତା ଦିବସରେ ମୁକ୍ତ କରିଦିଆଯିବା ପରେ ସେମାନଙ୍କ ଦ୍ବାରା ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ ବାନୋ କ୍ଷୋଭ ପ୍ରକାଶ କରିଛନ୍ତି। ଏହାଦ୍ବାରା ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ରହିଥିବା ବିଶ୍ବାସ ଦୋହଲିଯାଇଛି ବୋଲି ସେ ବୁଧବାର ଏକ ବିବୃତିରେ ପ୍ରକାଶ କରିଛନ୍ତି। ବାନୋ କହିଛନ୍ତି, ୨୦ ବର୍ଷ ତଳେ ସେ ଯେଉଁ ଶାରୀରିକ ଓ ମାନସିକ ଆଘାତ ପାଇଥିଲେ, ଦୁଇଦିନ ତଳେ ସେ ଆଘାତ ପୁଣି ସେ ଅନୁଭବ କରିଛନ୍ତି। ଯେତେବେଳେ ସେ ଶୁଣିଲେ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା, ତାଙ୍କ ୩ ବର୍ଷର ଝିଅକୁ ତାଙ୍କ ପାଖରୁ ଛଡ଼େଇ ନେଇଥିବା ଏବଂ ତାଙ୍କ ଜୀବନକୁ ନର୍କ କରିଦେଇଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ ଭାବରେ ବିଚରଣ କରିବାକୁ ଛାଡ଼ି ଦିଆଯାଇଛି।

ବାନୋ କହିଛନ୍ତି ଯେଏହି ଖବରରେ ସେ ନିର୍ବାକ୍, ନିସ୍ପନ୍ଦ ହୋଇପଡ଼ିଛନ୍ତି। ସେ ଏତିକି କହିବାକୁ ଚାହାନ୍ତି- ଜଣେ ନାରୀକୁ ମିଳିଥିବା ନ୍ୟାୟ ଏତିକିରେ କେମିତି ଶେଷ ହୋଇଯାଇପାରିବ? ସେ ଦେଶର ନ୍ୟାୟ ବ୍ୟବସ୍ଥାକୁ ବିଶ୍ବାସ କରୁଥିଲେ ଏବଂ ତାଙ୍କର ମାନସିକ କ୍ଷତକୁ ନେଇ ବଞ୍ଚିବାକୁ ଧୀରେ ଧୀରେ ଅଭ୍ୟାସ କରୁଥିଲେ। କିନ୍ତୁ ଏବେ ପାପୀମାନଙ୍କୁ ଖଲାସ କରିଦିଆଯିବା ପରେ ତାଙ୍କର ଶାନ୍ତି ନଷ୍ଟ ହୋଇଛି ଏବଂ ନ୍ୟାୟ ବ୍ୟବସ୍ଥା ଉପରୁ ତାଙ୍କର ବିଶ୍ବାସ ଉଠିଯାଇଛି। କେବଳ ତାଙ୍କ ପାଇଁ ନୁହେଁ, ନ୍ୟାୟ ପାଇଁ ଲଢ଼ୁଥିବା ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ସେ ଚିନ୍ତିତ ବୋଲି ବାନୋ ଉକ୍ତ ବିବୃତିରେ କହିଛନ୍ତି। ବାନୋ ପୁଣି କହିଛନ୍ତି, ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସୁରକ୍ଷା କଥା କେହି ଚିନ୍ତା କଲେ ନାହିଁ। ତାଙ୍କର ନିର୍ଭୟରେ ଓ ଶାନ୍ତିରେ ବଞ୍ଚିବାର ଅଧିକାର ତାଙ୍କୁ ଫେରାଇ ଦେବା ପାଇଁ ସେ ଗୁଜରାଟ ସରକାରଙ୍କୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାହୁଲ

ନୂଆଦିଲ୍ଲୀ: ବିଲକିସ ବାନୋ ବଳାତ୍କାର ମାମଲାରେ ୨୦୦୨ରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ଖଲାସ କରାଯିବା ମାମଲାରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଗୁଜରାଟ ସରକାର ନିଜର ପୁରୁଣା ବନ୍ଦୀ ମୁକ୍ତି ନୀତି ଅନୁଯାୟୀ ଉକ୍ତ ୧୧ ଜଣଙ୍କୁ ଖଲାସ କରିଥିବାରୁ ରାହୁଲ ଗାନ୍ଧି ଗୁଜରାଟ ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।

ରାହୁଲ ଟ୍ବିଟ୍ କରି କହିଛନ୍ତି- ସମଗ୍ର ଦେଶ ଦେଖୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ଓ କାମରେ କେତେ ଫରକ। ଏଣେ ସ୍ବାଧୀନତା ଦିବସରେ ନାରୀ ଶକ୍ତିର କଥା କହୁଛନ୍ତି, ତେଣେ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଖଲାସ କରିଦେଉଛନ୍ତି। ଏଥିରୁ ଦେଶର ମହିଳାଙ୍କ ପାଖକୁ କି ବାର୍ତ୍ତା ଯାଉଛି? ଯେଉଁମାନେ ୫ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ତିନିବର୍ଷର ଝିଅକୁ ହତ୍ୟା କଲେ ସେମାନଙ୍କୁ ‘ଆଜାଦୀ କା ଅମୃତ ମହୋତ୍ସବ’ରେ ମୁକ୍ତ କରି ଦିଆଗଲା। ସୂଚନାଯୋଗ୍ୟ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ବକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ। କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା।

ସମ୍ବନ୍ଧିତ ଖବର