‘ଦଲାଲ୍‌ ଷ୍ଟ୍ରିଟ୍‌’ର ‘ବିଗ୍‌ ବୁଲ୍‌’ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ

ମୁମ୍ବାଇ: ଆଜି ସକାଳେ ୬୨ ବର୍ଷୀୟ କୋଟିପତି ଉଦ୍ୟୋଗୀ, ସେୟାର୍‌ ବ୍ୟବସାୟୀ ଏବଂ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କର ଦେହାନ୍ତ ହୋଇଯାଇଛି। ସକାଳ ୬.୪୫ରେ ତାଙ୍କୁ ମୃତାବସ୍ଥାରେ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌’କୁ ଅଣାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଦୁଇ ତିନି ସପ୍ତାହ ତଳେ ଝୁନ୍‌ଝୁନ୍‌ୱାଲାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା।

ସୂଚାଯୋଗ୍ୟ, ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ‘ଆକାଶ ଏୟାର୍‌’ର ସେଥିଲେ ଅନ୍ୟତମ ସହ-ସଂସ୍ଥାପକ। ‘ୱାରେନ୍‌ ବଫେ ଅଫ୍‌ ଦି ଇଣ୍ଡିଆନ୍‌ ମାର୍କେଟ୍‌’ ଏବଂ ‘ବିଗ୍‌ ବୁଲ୍‌’ ଭାବେ ପରିଚିତ ଝୁନ୍‌ଝୁନ୍‌ୱାଲା କିଛି ଦିନ ହେବ ଅସୁସ୍ଥ ଥିଲେ। ‘ଫୋର୍ବସ୍‌’ ଆକଳନ ଅନୁସାରେ, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫.୫ ବିଲିୟନ୍‌ ଡଲାର୍‌।

Image Courtesy of Free Press Journal

ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି: ରାକେଶ ଝୁନ୍‌ଝୁନ୍‌ୱାଲା ଥିଲେ ଅପରାଜେୟ। ଆର୍ଥିକ ଜଗତ୍‌ ପ୍ରତି ପ୍ରାଣଶକ୍ତି, ବୁଦ୍ଧିଦୀପ୍ତତା ଏବଂ ଅନ୍ତର୍ଦୃଷ୍ଟିସମ୍ପନ୍ନ ରାକେଶଙ୍କ ଅବଦାନ ଅବିସ୍ମରଣୀୟ। ଭାରତର ପ୍ରଗତି ପାଇଁ ମଧ୍ୟ ସେ ଥିଲେ ଖୁବ୍‌ ବ୍ୟାକୁଳ। ତାଙ୍କ ବିୟୋଗ ଦୁଃଖଦାୟକ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା।

୧୯୬୦ ମସିହା ଜୁଲାଇ ୫ ତାରିଖରେ ମଧ୍ୟବିତ୍ତ ପରିବାରେ ଜନ୍ମିତ ରାକେଶ ପ୍ରଥମେ ୧୯୮୫ ମସିହାରେ ମାତ୍ର ୫୦୦୦ ଟଙ୍କା ଧରି ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ସେ କଲେଜ୍‌ରେ ପଢୁଥିଲେ। ୧୯୮୬ରେ ସେ ‘ଟାଟା ଟି’ ସେୟାର୍‌ କିଣି ଖୁବ୍‌ ଲାଭବାନ ହୋଇଥିଲେ। ସେ ଗୋଟାପ୍ରତି ୪୩ ଟଙ୍କାରେ କିଣିଥିବା ୫୦୦୦ ‘ଟାଟା ଟି’ ସେୟାର୍‌ର ମୂଲ୍ୟ ୩ ମାସରେ ୧୪୩ ଟଙ୍କା ହୋଇଯାଇଥିଲା। ପରବର୍ତ୍ତୀ ୩ ବର୍ଷରେ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଲାଭ କରିଥିଲେ।

ତାଙ୍କ କହିବା ଅନୁସାରେ, ବାପାଙ୍କ ପରାମର୍ଶକ୍ରମେ ତାଙ୍କର ସେୟାର୍‌ ମାର୍କେଟ୍‌ ପ୍ରତି ଆଗ୍ରହ ଜନ୍ମିଥିଲା। ଷ୍ଟକ୍‌ ମାର୍କେଟରେ ପ୍ରବେଶ କରିବା ବେଳଠାରୁ ହିଁ ସେ ଥିଲେ ‘ରିସ୍କ୍‌ ଟେକର୍‌’। ତେଣୁ, ତାଙ୍କୁ ‘ବିଗ୍‌ ବୁଲ୍‌’ କୁହାଯାଉଥିଲା।

ସମ୍ବନ୍ଧିତ ଖବର