୩ ରାଜ୍ୟରେ ହାରିବା ପରେ:ଓଡ଼ିଶା ଉପରେ ବିଜେପିର ନଜର

ମୁମ୍ବାଇ: ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ ବିଜେପି ଏବେ ଓଡ଼ିଶା ଉପରେ ନଜର ପକାଇଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ମଧ୍ୟ ବିଜେପି ଟା‌‌ର୍ଗେଟ୍‌ କରିବ ବୋଲି ଦଳର ଅଧ୍ୟକ୍ଷ ଅମିତ୍‌ ଶାହ ଆଜି ଦେଇଥିବା ବିବୃତିରୁ ସ୍ପଷ୍ଟ ହୋଇଯାଇଛି।
ମୁମ୍ବାଇରେ ଅନୁଷ୍ଠିତ ‘ରିପବ୍ଲିକ୍‌ ସମିଟ୍‌’ରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ମହାମେଣ୍ଟକୁ ଏକ ‘ଭ୍ରମ’ ବ୍ୟତୀତ କିଛି କୁହାଯାଇ ପାରିବ ନାହିଁ। ୨୦୧୪ରେ ବିରୋଧୀମାନେ ମଧ୍ୟ ଅନୁରୂପ ଭାବେ ସକ୍ରିୟ ହୋଇପଡ଼ିଥିଲେ। କିନ୍ତୁ ବିଜେପି ସବୁ ଦଳକୁ ମାତ୍‌ ଦେଇ ନିର୍ବାଚନ ଜିତିଥିଲା। ଏଥର ମଧ୍ୟ ଦଳ ସେହି ଧାରା ଦୋହରାଇବ। ଦଳକୁ ଏ ବାବଦରେ ଶିବସେନା ସମର୍ଥନ ଯୋଗାଇବ ବୋଲି ପୂର୍ଣ୍ଣ ବିଶ୍ବାସ ରହିଛି। ସେମାନଙ୍କ (ଶିବସେନା) ସହିତ ‌ଆଲୋଚନା ଜାରି ରହିଛି। ସେମାନେ ବିଜେପିକୁ ନିରାଶ କରିବେ ନାହିଁ। ଶିବ‌ସେନା ସହିତ ସାମିଲ ହୋଇ ବିରୋଧୀଙ୍କ ମହାମେଣ୍ଟକୁ ପୁଣି ପରାଜିତ କରିବୁ। ମହାମେଣ୍ଟର ବାସ୍ତବତା ନେଇ କୌଣସି ସଂକେତ ଦେଖିବାକୁ ମିଳୁନାହିଁ। ‌ଦେଶର କୌଣସି ସ୍ଥାନ‌ରେ ମଧ୍ୟ ଏହାର ଉପସ୍ଥିତି ନେଇ କାଣିଚାଏ ଅନୁଭୂତ ହେଉନାହିଁ। ୨୦୧୯ରେ ବିଜେପି ପଶ୍ଚିମବଙ୍ଗ, ଉତ୍ତର ପୂର୍ବ ଏବଂ ଓଡ଼ିଶାରେ ଅଧିକରୁ ଅଧିକ ଆସନ ହାସଲ କରିବ ବୋଲି ବିଶ୍ବାସ ରହିଛି। ଏଥିପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି।
ବିଗତ ସାଢ଼େ ୪ ବର୍ଷରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର କରିଥିବା କାର୍ଯ୍ୟ ବାବଦରେ ସୂଚନା ଦେଇ ଶାହ କହିଛନ୍ତି, ଏହି ସମୟ ମଧ୍ୟରେ ଆମେ ଜାତୀୟ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ସହ ଦୁର୍ନୀତିକୁ ସମୂଳେ ଧ୍ବଂସ କରିଦେଇଛୁ। ୮ କୋଟି ଘରକୁ ଆମେ ପାଇଖାନା ଓ ୨.୫ କୋଟି ଘରକୁ ବିଜୁଳି ଯୋଗାଇଛୁ। ତେବେ ଦେଶ ପାଇଁ ଏକ ସ୍ଥିର ସରକାର ଆଶା କରିବା ଏକାକୀ ବିଜେପିର ଲକ୍ଷ୍ୟ ନୁହେଁ, ଦେଶବାସୀ ମଧ୍ୟ ଏହା ଚାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର