ବିଜେପି ଜିତିଲେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ: ଶାହ

ପଶ୍ଚିମବଂଗରେ ଜଙ୍ଗଲରାଜ ଚାଲିଛି

କୋଲକାତା: ପଶ୍ଚିମବଂଗରେ ଆଉ ଆଇନର ଶାସନ ନାହିଁ। ରାଜ୍ୟବାସୀଙ୍କ ଇଚ୍ଛାକୁ ମମତା ସରକାର ସାମାନ୍ୟତମ ସମ୍ମାନ ଦେଉନାହାନ୍ତି। ଏଭଳି ସରକାରକୁ ଓପାଡ଼ି ଫିଙ୍ଗିବାକୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ବୀପରେ ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରି କହିଛନ୍ତି। ବିଜେପିର ବୁଥ୍‌ସ୍ତରୀୟ କର୍ମୀଙ୍କ ଉପରେ ତୃଣମୂଳ ଗୁଣ୍ଡା ତୁହାକୁ ତୁହା ଆକ୍ରମଣ କରୁଛନ୍ତି ଏବଂ ଏଭଳି ଅରାଜକତାକୁ ରାଜ୍ୟବାସୀ ଦେଖୁଛନ୍ତି ବୋଲି ଶାହ କହିଛନ୍ତି। ପରିବର୍ତ୍ତନ ଯାତ୍ରାରେ ଅଂଶଗ୍ରହଣ କରିଥିବା କର୍ମୀମାନଙ୍କ ‘ଜୟ ଶ୍ରୀରାମ’ ଓ ‘ଭାରତ ମାତା କି ଜୟ’ ଧ୍ବନିକୁ ପ୍ରୋତ୍ସାହିତ କରି ଶାହ କହିଛନ୍ତି, ବିଜେପି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଢ଼ିଲେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ଏବଂ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ୭ମ ବେତନ କମିସନ ସୁବିଧା ମିଳିବ। ମହାବାତ୍ୟା ‘ଅମ୍ଫାନ’ କ୍ଷତିଭରଣା ପାଇଁ କେନ୍ଦ୍ରରୁ ଆସିଥିବା ସହାୟତାକୁ ବାଟମାରଣା କରାଯାଇଛି। କ୍ଷତିଗ୍ରସ୍ତ ଲୋକେ ଏହା ପାଇ ନାହାନ୍ତି। ଏହାର ପ୍ରମାଣ ଚାହିଁଲେ ଆମେ ଦେବୁ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର