କାବୁଲ ବିମାନବନ୍ଦର ବିସ୍ଫୋରଣ : ଏପର୍ଯ୍ୟନ୍ତ ୧୩ ମୃତ ସୂଚନା, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

କାବୁଲ : କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ସାମ୍ନାରେ ପଛକୁପଛ ଦୁଇଟି ବିସ୍ଫୋରଣ ଘଟିଛି। ପ୍ରଥମେ ବିମାନ ବନ୍ଦରର ଆବେ ଗେଟ୍ ନିକଟରେ ଆଜି ସଂଧ୍ୟାରେ ହୋଇଥିବା ବୋମା ବିସ୍ଫୋରଣ ପରେ ଆଉ ଏକ ବୋମା ବିସ୍ଫୋରଣ ନିକଟସ୍ଥ ବାରନ ହୋଟେଲ ଆଗରେ ହୋଇଥିଲା । ଏହି ଘଟଣାରେ ଏଯାବତ୍ ୧୩ ଜଣ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ରହିଛି । ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଓ ଶିଶୁ ଥିବା କୁହାଯାଉଛି । ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ଆଇଏସ ଥିବା ସଂଦେହ କରାଯାଉଛି ।

ପେଣ୍ଟାଗନ ମୁଖପାତ୍ର ଜନ କର୍ବି କହିଛନ୍ତି ଯେ  ପ୍ରଥମ ବିସ୍ଫୋରଣଟି ଆବେ ଗେଟ ନିକଟରେ ଓ ଦ୍ବିତୀୟ ବିସ୍ଫୋରଣଟି ଆବେ ଗେଟ ନିକଟରେ ଥିବା ବାରନ ହୋଟେଲ ଆଗରେ ହୋଇଥିଲା । ମୃତକଙ୍କ ମଧ୍ୟରେ ଉଭୟ ଆଫଗାନ ଓ ଆମେରିକୀୟ ନାଗରିକ ଅଛନ୍ତି ।

ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ଆଫଗାନିସ୍ତାନ ପରିସ୍ଥିତି ସଂପର୍କ‌ରେ ଆଲୋଚନା କରିଛନ୍ତି। ତେଣେ ତାଲିବାନ୍ ପକ୍ଷରୁ ଏହି ବିସ୍ଫୋରଣ ଏକ ‘ଆତଙ୍କବାଦୀ କାର୍ଯ୍ୟକଳାପ’ ବୋଲି ବିବୃତି ଦିଆଯାଇଛି। ଏହି ବିସ୍ଫୋରଣ ପଛ‌ରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ)ର ହାତ ଥିବା କଥା ତାଲିବାନ୍ ସନ୍ଦେହ କରୁଛି।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ହଜାର ହଜାର ଆଫଗାନ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଫଳରେ କାବୁଲ ବିମାନବନ୍ଦରରେ ଏବେ ପ୍ରବଳ ଗହଳି ରହିଛି । ଏ ପରିସ୍ଥିତିରେ ଆଜି ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । କିଛି ଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇପାରେ ବୋଲି ସତର୍କତା ଜାରି କରିଥିଲା ।

ସମ୍ବନ୍ଧିତ ଖବର