ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରି : ୟେସ୍‌ ବ୍ୟାଙ୍କ ଉପରୁ ହଟିବ କଟକଣା

ଉଦ୍ଧାର ପାଇଁ ଆଗେଇ ଆସିଲେ ୮ ସଂସ୍ଥା, ଏସ୍‌ବିଆଇ ନିବେଶ କରିବ ୭୫୦୦ କୋଟି

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ଭିତରେ ଫସିଥିବା ଘରୋଇ ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଯୋଜନାକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ‌ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ଜମାକାରୀଙ୍କ ସ୍ବାର୍ଥ ସମେତ ୟେସ୍‌ ବ୍ୟାଙ୍କ ଓ ସମଗ୍ର ଆର୍ଥିକ ବ୍ୟବସ୍ଥାର ସ୍ଥିରତାକୁ ଦୃଷ୍ଟିରେ ରଖି ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ଯୋଜନାକୁ ମଞ୍ଜୁରି ଦିଆଯାଇଛି। ପୁନରୁଦ୍ଧାର ଯୋଜନାର ବିଜ୍ଞପ୍ତି ଜାରି ହେବାର ୩ଟି କାର୍ଯ୍ୟଦିବସ ମଧ୍ୟରେ ୟେସ୍‌ ବ୍ୟାଙ୍କ ଉପରେ ଯେଉଁ କଟକଣା ଲଗାଯାଇଛି, ତାହା ଉଠାଇ ନିଆଯିବ। ଏଥିସହିତ ୭ ଦିନ ମଧ୍ୟରେ ବ୍ୟାଙ୍କର ବୋର୍ଡକୁ ପୁନଃଅବସ୍ଥାପିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଆଜି ସ୍ପଷ୍ଟ କରିଦେଇଛନ୍ତି। ଏହି ଘୋଷଣା ‌ୟେସ୍‌ ବ୍ୟାଙ୍କ୍‌ର ଜମାକାରୀଙ୍କୁ ଆଶ୍ବସ୍ତ କରିଛି।

ପୁନରୁଦ୍ଧାର ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସୀତାରମଣ କହିଛନ୍ତି, ୟେସ୍‌ ବ୍ୟାଙ୍କରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୪୯ ପ୍ରତିଶତ ଅଂଶଧନ କିଣିବ। ଏଥିସହିତ ଅନ୍ୟ ବ୍ୟାଙ୍କ୍‌ ଓ ନିବେଶକମାନେ ମଧ୍ୟ ୟେସ୍‌ ବ୍ୟାଙ୍କରେ ଅର୍ଥ ନିବେଶ କରିବା ଯୋଜନା ରହିଛି। ସବୁ ନିବେଶକଙ୍କ ପାଇଁ ୩ ବର୍ଷର ଲକ୍ ଇନ୍ ପିରିୟଡ ରହିବ। ଅର୍ଥାତ୍ ୩ ବର୍ଷ ପର୍ଯ୍ୟନ୍ତ ନିବେଶକମାନେ ସେମାନଙ୍କ ନିବେଶ ଅର୍ଥକୁ କାଢ଼ି ନେଇପାରିବେ ନାହିଁ। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ କରୁଥିବା ୪୯ ପ୍ରତିଶତ ନିବେଶ ମଧ୍ୟରୁ ୨୬ ପ୍ରତିଶତ ଅଂଶଧନକୁ ୩ ବର୍ଷ ପର୍ଯ୍ୟନ୍ତ ଉଠାଇ ପାରିବ ନାହିଁ। ଏଥିସହିତ ୟେସ୍‌ ବ୍ୟାଙ୍କର ଅଧିକୃତ ପୁଞ୍ଜିକୁ ୧୧୦୦ କୋଟି ଟଙ୍କାରୁ ୬୨୦୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି।

ଏସ୍‌ବିଆଇ ୟେସ୍‌ ବ୍ୟାଙ୍କର ୭୨୫ ‌କୋଟି ସେୟାର କିଣିବ ବୋଲି ଗୁରୁବାର ସୂଚନା ଦେଇସାରିଛି। ପ୍ରତି ସେୟାରକୁ ବ୍ୟାଙ୍କ ୧୦ ଟଙ୍କା ଲେଖାଏଁ ଦେଇ କିଣିବ। ଅର୍ଥାତ୍ ଏଥିପାଇଁ ଷ୍ଟେଟ ବ୍ୟାଙ୍କ ୭୨୫୦ କୋଟି ଟଙ୍କା ନିବେଶ କରିବ। ଷ୍ଟେଟ ବ୍ୟାଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ୨୪୫୦ କୋଟି ଟଙ୍କା ନିବେଶ କରିବା ଯୋଜନା କରିଥିବାବେଳେ ଏବେ ୭୫୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି।

ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ‌ୟେସ୍‌ ବ୍ୟାଙ୍କକୁ ଉଦ୍ଧାର କରିବା ପାଇଁ କେବଳ ଷ୍ଟେଟ ବ୍ୟାଙ୍କ ନୁହେଁ; ୮ଟି ସଂସ୍ଥା ଆଗେଇ ଆସିଛନ୍ତି। ସେମାନେ ମୋଟ ୧୧,୭୫୦ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟ ନିବେଶକମାନେ ହେଲେ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ‌, ଏକ୍ସିସ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ରାଧାକ୍ରିଷ୍ଣ ଦମାନି, ରାକେଶ ଝୁନଝୁନୱାଲା ଏବଂ ଅଜିମ୍ ପ୍ରେମଜୀ ଟ୍ରଷ୍ଟ। ଆଇସିଆଇସିଆଇ ବ୍ୟାଙ୍କ ୧୦୦୦ କୋଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୧୦୦୦ କୋଟି, କୋଟାକ ମହିନ୍ଦ୍ରା ବ୍ୟାଙ୍କ ୫୦୦ କୋଟି, ଏକ୍ସିସ ବ୍ୟାଙ୍କ ୫୦୦ କୋଟି, ରାଧାକୃଷ୍ଣ ଦମାନି ୫୦୦ କୋଟି, ରାକେଶ ଝୁନଝୁନୱାଲା ୫୦୦ କୋଟି ଓ ଅଜିମ୍ ପ୍ରେମ୍‌ଜୀ ଟ୍ରଷ୍ଟ ୫୦୦ କୋଟି ଟଙ୍କା ନିବେଶ କରିବ। ଏଥିସହିତ ୟେସ୍‌ ବ୍ୟାଙ୍କରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ମଧ୍ୟ ନିବେଶ କରିବା ଯୋଜନା ରହିଥିବା ରିପୋର୍ଟମାନ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶ ପାଉଛି।

ଗତ ୫ ତାରିଖରେ ୟେସ୍‌ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ମାସ ପାଇଁ କଟକଣା ଜାରି କରିଥିଲା। ଏହି କଟକଣା ଫଳରେ ଜମାକାରୀମାନେ ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ଏଥି ସହିତ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ୟେସ୍‌ ବ୍ୟାଙ୍କର ବୋର୍ଡକୁ ଭାଙ୍ଗି ଦେବା ସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର