ଓଡ଼ିଶାର ଚଣ୍ଡିଖୋଲରେ ନିର୍ମାଣ ହେବ ଦେଶର ବୃହତ୍ତମ ଜରୁରୀକାଳୀନ ତୈଳ ଭଣ୍ଡାର

ଭୂମି ତଳେ ରହିବ ତୈଳ ଭଣ୍ଡାର

ନୂଆଦିଲ୍ଲୀ : ଓଡ଼ିଶାର ଚଣ୍ଡିଖୋଲଠାରେ ଭାରତ ସରକାର ନିର୍ମାଣ କରିବେ ଷ୍ଟ୍ରାଟର୍ଜିକ ପେଟ୍ରୋଲିୟମ ରିଜର୍ଭ ବା ଜରୁରୀକାଳୀନ ତୈଳ ଭଣ୍ଡାର । ଏହାର ଧାରଣ କ୍ଷମତା ୪ ନିୟୁତ ମେଟ୍ରିକ ଟନ ରହିବ । ଚଣ୍ଡିଖୋଲ ସହିତ କର୍ଣ୍ଣାଟକର ପାଦୁରଠାରେ ମଧ୍ୟ ଏହିପରି ଏକ ତୈଳଭଣ୍ଡାର ନିର୍ମାଣ କରାଯିବ, ଯାହାର କ୍ଷମତା ୨.୫ ନିୟୁତ ମେଟ୍ରିକ ଟନ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଚଣ୍ଡିଖୋଲରେ ଜରୁରୀକାଳୀନ ତୈଳ ଭଣ୍ଡାର ନିର୍ମାଣ ପାଇଁ ଗତ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ । ପୂର୍ବରୁ ବିଶାଖପାଟଣା, ମାଙ୍ଗାଲୋର ଓ ପାଦୁରଠାରେ ଜରୁରୀକାଳୀନ ତୈଳ ଭଣ୍ଡାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏବେ ଭାରତର ଜରୁରୀକାଳୀନ ତୈଳ ଭଣ୍ଡାର କ୍ଷମତା ୫ ନିୟୁତ ମେଟ୍ରିକ ଟନ ଥିବାବେଳେ, ଆଜି ମଂଜୁରୀ ପାଇଥିବା ଦୁଇଟିଯାକ ଭଣ୍ଡାରର ମିଳିତ କ୍ଷମତା ୬.୫ ନିୟୁତ ଟନ ରହିବ । ଫଳରେ ଭାରତର ମୋଟ ଜରୁରୀକାଳୀନ ତୈଳ ଭଣ୍ଡାର ଧାରଣ କ୍ଷମତା ୧୧.୫ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି ପାଇବ ।

ଜରୁରୀକାଳୀନ ତୈଳ ଭଣ୍ଡାର ଗୋଟିଏ ଦେଶର ଜରୁରୀକାଳୀନ ତୈଳ ଆବଶ୍ୟକତା ପୂରଣ କରେ । ଯୁଦ୍ଧ କିମ୍ବା ପ୍ରାକୃତିକ ଦୁର୍ବିପାକ ପରିସ୍ଥିତିରେ ଭାରତକୁ ତେଲ ଆସିନପାରିଲେ ଏହି ତୈଳ ଭଣ୍ଡାରକୁ ବ୍ୟବହାର କରାଯାଏ । ମଧ୍ୟପୂର୍ବ ଦେଶଗୁଡ଼ିକରେ ବାରମ୍ବାର ଅସ୍ଥିରତା ଲାଗି ରହୁଥିବାରୁ ଏବଂ ଭାରତ ପ୍ରତି ପାକିସ୍ତାନ ଓ ଚୀନ ପଟୁ ବିପଦ ରହୁଥିବାରୁ ଭାରତ ନିଜର ଜରୁରୀକାଳୀନ ତୈଳ ଭଣ୍ଡାର ବଢାଇଚାଲିଛି । ବିଶ୍ୱରେ ସବୁଠାରୁ ବଡ ଜରୁରୀକାଳୀନ ତୈଳ ଭଣ୍ଡାର ଆମେରିକା ପାଖରେ ରହିଛି । ଏହାର କ୍ଷମତା ରହିଛି ୭୨୭ ନିୟୁତ ବ୍ୟାରେଲ ।

ସମ୍ବନ୍ଧିତ ଖବର