ଜଣେ ପ୍ରାର୍ଥୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ମତ ରଖଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦେଶର ନିର୍ବାଚନ କମିଶନ, ନିର୍ବାଚନରେ ଜଣେ ପ୍ରାର୍ଥୀ କେବଳ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ମତ ରଖିଛନ୍ତି। ବୁଧବାର ଦିନ ନିର୍ବାଚନ କମିଶନ ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟରେ ନିଜର ଏହି ମତ ରଖିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏବେ ପ୍ରଚଳିତ ଥିବା ବ୍ୟବସ୍ଥାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ ଦୁଇଟି ଆସନରୁ ଏକସଙ୍ଗେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ୍‌) ଆଗତ ହୋଇଥିଲା। ସୁପ୍ରିମ୍‌ କୋଟ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏସଂପର୍କରେ ନିଜର ମତ ସତ୍ୟପାଠ ଆକାରରେ କୋର୍ଟରେ ଉପସ୍ଥାପିତ କରିବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ସୁପ୍ରିମ୍‌ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଲୋକ ପ୍ରତିନିଧି ଆଇନ୍‌ରେ ସଂଶୋଧନ ଆଣି ନିର୍ବାଚନରେ ଜଣେ ପ୍ରାର୍ଥୀ କେବଳ ମାତ୍ର ଗୋଟିଏ ଆସନରୁ ଲଢ଼ିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଜଣେ ପ୍ରାର୍ଥୀଙ୍କୁ ଏକକାଳୀନ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅନୁମତି ଦେବାର କୌଣସି ଆବଶ୍ୟକତା ନାହିଁ। କାରଣ, ଜଣେ ପ୍ରାର୍ଥୀ ଦୁଇଟି ଆସନରୁ ଏକକାଳୀନ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବସ୍ଥା ନାହିଁ। ତେଣୁ, ନିର୍ବାଚନରେ ଜଣେ ପ୍ରାର୍ଥୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନ ଜିତିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ ଗୋଟିଏ ଆସନରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବ ଏବଂ ଅନ୍ୟ ଆସନଟିରୁ ଇସ୍ତଫା ଦେବାକୁ ପଡ଼ିବ। ସେ ଇସ୍ତଫା ପ୍ରଦାନ କରିବା ପରେ ପୁଣି ସେଇ ଆସନ ପାଇଁ ଉପନିବାଚନ ଅନୁଷ୍ଠିତ ହେବ। ଏହାହିଁ ଘଟୁଛି ମଧ୍ୟ। ଏଥିରେ କେବଳ ମାତ୍ର ସରକାରୀ ଅର୍ଥର ଅପବ୍ୟୟ ହେଉଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ନିର୍ବାଚନରେ ଜଣେ ପ୍ରାର୍ଥୀ କେବଳ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ନିଜ ମତ ରଖିଛନ୍ତି ନିର୍ବାଚନ କମିଶନ।

ସମ୍ବନ୍ଧିତ ଖବର