କରୋନାଭାଇରସ୍ ସଂକ୍ରମଣ: ସୁପ୍ରିମ୍ କୋର୍ଟରେ ଭିଡିଓ କନଫରେନସିଙ୍ଗ ଜରିଆରେ ହେବ ମାମଲା ଶୁଣାଣି

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଆସନ୍ତା ସପ୍ତାହକ ପାଇଁ ସୁପ୍ରିମ୍ କୋର୍ଟ କେବଳ “ଅତି ଜରୁରୀ’ ମାମଲାଗୁଡ଼ିକର ଶୁଣାଣି କରିବ ବୋଲି ରବିବାର ଦିନ ସୁପ୍ରିମ୍ କୋର୍ଟ ଏକ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।

ନ୍ୟାୟିକ କାର୍ଯ୍ୟ ନିମନ୍ତେ ଅତି ଆବଶ୍ୟକ ପଡ଼ିଲେ ସୁପ୍ରିମ୍ କୋର୍ଟରେ ମାତ୍ର ଗୋଟିଏ ଖଣ୍ଡପୀଠ ଉପଲବ୍ଧ ହେବେ । ତାହା ପୁଣି ବୁଧବାର ଦିନ ବସିବ ବୋଲି ଉକ୍ତ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସହକର୍ମୀମାନଙ୍କ ସହ ପରାମର୍ଶ କରିବା ପରେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Image Source: ANI

ମାମଲା ଶୁଣାଣି ନିମନ୍ତେ ଭିଡିଓ କନଫରେନସିଙ୍ଗ୍ ବ୍ୟବସ୍ଥା କରାଯିବ । ଓକିଲମାନଙ୍କ ସୁବିଧା ନିମନ୍ତେ ସୁପ୍ରିମ୍ କୋର୍ଟ ପରିସର ମଧ୍ୟରେ ଏଥିପାଇଁ କୋଠରି ପ୍ରସ୍ତୁତ କରାଯିବ । ଖଣ୍ଡପୀଠଙ୍କ ଠାରେ ମାମଲା ଉପସ୍ଥାପନ କରିବାକୁ ହେଲେ ଓକିଲମାନେ ସମ୍ପୃ୍କ୍ତ ମାମଲା ଜରୁରୀ ବୋଲି ଲିଖିତ ଆକାରରେ ଦେବାକୁ ପଡ଼ିବ । ଏହାପରେ ଯାଇ ମାମଲା ଶୁଣାଣି ନିମନ୍ତେ ତାଲିକାଭୁକ୍ତ ହେବ ।

କେଉଁ ବିଚାରପତିମାନଙ୍କୁ ନେଇ ଖଣ୍ଡପୀଠ ଗଠନ ହେବ ତାହା ଜଣାପଡ଼ିନାହିଁ ।

କିନ୍ତୁ, ଦିଲ୍ଲୀରେ ଲକଡାଉନ ଏବଂ କରୋନାଭାଇରସ ମହାମାରୀ ଯୋଗୁଁ ସୁପ୍ରିମ୍ କୋର୍ଟରେ କାମ କରୁଥିବା ଓକିଲ ଏବଂ ଆଡଭୋକେଟମାନେ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ସେମାନଙ୍କ ସଂଘ ଘୋଷଣା କରିଛି । ଲକଡାଉନ୍ ନିମନ୍ତେ ରବିବାର ସନ୍ଧ୍ୟାରେ ଦିଲ୍ଲୀ ସରକାର ଘୋଷଣା କରିବା ପରେ “ସୁପ୍ରିମ୍ କୋର୍ଟ ଆଡଭୋକେଟସ ଅନ୍-ରେକର୍ଡ ଆସୋସିଏସନ୍ ଏହି ଘୋଷଣା କରିଛି ।

ସମ୍ବନ୍ଧିତ ଖବର