ଭାରତରେ “କୋଭିଡ୍-୧୯’ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଅତିକ୍ରମ କଲା

ନୂଆଦିଲ୍ଲୀ: ଭାରତରେ “କୋଭିଡ୍-୧୯’ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଥିବା କଥା ସୋମବାର ଦିନ “ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍’ ରିସର୍ଚ କହିଛି ।

“ଆଇସିଏମଆର’ କହିଛି ଯେ ସୋମବାର ସକାଳ ୧୦ଟା ସୁଦ୍ଧା କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ସକାଶ ୧୮, ୩୮୩ ନମୁନା ପରୀକ୍ଷା କରାଯାଇ ସାରିଲାଣି ।

Image Source: Hindustan Times

ଏପର୍ଯ୍ୟନ୍ତ ଦେଶରେ କରୋନାଭାଇରସ ସମ୍ବନ୍ଧୀୟ ରୋଗରେ ସାତଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ।

ମୁମ୍ବାଇର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ଫିଲିପ୍ପିନ୍ସର ଜଣେ ୬୮ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କଥା ସୋମବାର ଦିନ ବୃହନମୁମ୍ବାଇ ମୁନିସପାଲ୍ କର୍ପୋରେସନର ଡେପୁଟି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦକ୍ଷ ଶାହା କହିଛନ୍ତି । ସେ ବ୍ୟକ୍ତିଜଣଙ୍କ ନମୁନା ପ୍ରଥମେ ପଜିଟିଭ୍ ଏବଂ ଚିକିତ୍ସା ପରେ ନେଗେଟିଭ୍ ବାହାରି ଥିଲା ।

Image Source: New Indian Express

ବିଭିନ୍ନ ରାଜ୍ୟରେ ପ୍ରଣୟନ ହୋଇଥିବା ଲକଡାଉନ୍ ବ୍ୟବସ୍ଥାକୁ ଲୋକେ ଗୁରୁତ୍ୱ ଦେଉ ନ ଥିବାରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଉଦବେଗ ପ୍ରକାଶ କରିଛନ୍ତି । ଜନସାଧାରଣଙ୍କୁ ସେ ନିବେଦନ କରି କହିଛନ୍ତି ଯେ ସେମାନେ ନିଜକୁ ରକ୍ଷା କରନ୍ତୁ ଓ ସେମାନଙ୍କ ପରିବାରକୁ ରକ୍ଷା କରନ୍ତୁ ।

କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୨ଟି ଜିଲ୍ଲାରେ ମାର୍ଚ ୩୧ ଯାଏଁ ଲକଡାଉନ୍ ଲାଗୁ କରାଯାଇଛି । ଏହାକୁ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର