‘କାଷ୍ଟିଂ କାଉଚ୍‌’ରୁ ପାର୍ଲିଆମେଣ୍ଟ ମଧ୍ୟ ମୁକ୍ତ ନୁହେଁ: ପୂର୍ବତନ ସାଂସଦ ରେଣୁକା ଚୌଧୁରୀ

‘କାମ ବଦଳରେ ଯୌନ ଅନୁଗ୍ରହ ମାଗିବା’ ଏକ ପୁରାତନ ପ୍ରଥା: ସରୋଜ ଖାନ୍‌

ନୂଆଦିଲ୍ଲୀ: ‘କାଷ୍ଟିଂ କାଉଚ୍‌’ ହେଉଛି ଏକ ନିର୍ଦ୍ଦୟ ବାସ୍ତବତା। କେବଳ ମାତ୍ର ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ; ସର୍ବତ୍ର ଏହା ବିଦ୍ୟମାନ। ଏପରିକି ଦେଶରେ ଗଣତନ୍ତ୍ରର ମନ୍ଦିର ରୂପେ ବିବେଚନା କରାଯାଉଥିବା ସଂସଦ ବା ପାର୍ଲିଆମେଣ୍ଟ ମଧ୍ୟ ଏଥିରୁ ମୁକ୍ତ ନୁହେଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ବରିଷ୍ଠ ସାଂସଦ ରେଣୁକା ଚୌଧୁରୀ।


‘କାଷ୍ଟିଂ କାଉଚ୍‌’ ପ୍ରଥା (କୌଣସି କାମ ହାସଲ କରିବାକୁ ବା କରାଇବା ଉଦ୍ଦେଶ୍ୟରେ ସମତ୍ତିର ସହ ଯୌନ ଅନୁଗ୍ରହ ଦେବା), କେବଳ ମାତ୍ର ଭାରତୀୟ ଫିଲ୍ମ ଇଣ୍ଡଷ୍ଟିରେ ନୁହେଁ; ବରଂ ଏହା ଦେଶର ସର୍ବତ୍ର ବିଦ୍ୟମାନ। ଦେଶର ସବୁ କ୍ଷେତ୍ରରେ ଏହା ରହିଛି। ଏପରିକି ଦେଶର ସଂସଦ ବା ପାର୍ଲିଆମେଣ୍ଟ ମଧ୍ୟ ଏଥିରୁ ମୁକ୍ତ ନୁହେଁ। ଯେତେ ଅପ୍ରିୟ ହେଲେ ସୁଦ୍ଧା ସମସ୍ତଙ୍କୁ ଏହା ସ୍ୱୀକାର କରିବାକୁ ହେବ ଓ ଏହା ବିରୋଧରେ ଠିଆ ହେବାକୁ ପଡ଼ିବ’ ବୋଲି କହିଛନ୍ତି, ଗତ ମାସରେ ସଂସଦର ରାଜ୍ୟସଭାରୁ ସାଂସଦ ଭାବେ ଅବ୍ୟାହତି ନେଇଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ।

‘କାମ ବଦଳରେ ଯୌନ ଅନୁଗ୍ରହ ମାଗିବା’ ଏକ ପୁରାତନ ପ୍ରଥା

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବଲିଉଡ୍‌ର ଖ୍ୟାତନାମା ମହିଳା କୋରିଓଗ୍ରାଫର ସରୋଜ ଖାନ୍‌ ଆଜି ପୂର୍ବାହ୍ନରେ ମୁମ୍ବାଇ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ କାଷ୍ଟିଂ କାଉଚ ପ୍ରଥାକୁ ସମର୍ଥନ ଜଣାଇବାକୁ ଯାଇ କହିଥିଲେ, ‘କାମ ବଦଳରେ ଯୌନ ଅନୁଗ୍ରହ ମାଗିବା’ ଏକ ବହୁ ପୁରାତନ ପ୍ରଥା। ଆପଣମାନେ କାହିଁକି କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ପଛରେ ପଡ଼ିଛନ୍ତି? ସେମାନେ କିଛି ନହେଲେ ଖାଇବାକୁ ରୋଟି ତ’ ଦେଉଛନ୍ତି। ଦୁଷ୍କର୍ମ କରି ରାସ୍ତା ଉପରେ ନେଇ ଛାଡ଼ି ଦେଉ ନାହାନ୍ତି ତ?’


ତେବେ, କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ଏହି ବିବୃତିକୁ ନେଇ ଦେଶବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହେବାପରେ ତାଙ୍କୁ ସମର୍ଥନ ଦେବାକୁ ଯାଇ କଂଗ୍ରେସର ବରିଷ୍ଠ ନେତ୍ରୀ ରେଣୁକା ଚୌଧୁରୀ କାଷ୍ଟିଂ କାଉଚ୍‌ ଉପରେ ତାଙ୍କର ନିଜସ୍ୱ ଏହି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର