ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲା: ୩ ଗିରଫ, ୧୨ ଛାତ୍ର ଅଟକ

ହିନ୍ଦୀ ପେପର୍‌ ଲିକ୍‌ ଦାବିକୁ ସିବିଏସ୍‌୍‌ଇର ଅଗ୍ରାହ୍ୟ

ନୂଆଦିଲ୍ଲୀ : ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଚଢ଼ଉ ଅଭିଯାନ ଜାରି ରଖିଛି ଏବଂ ଆଜି ଏହି ମାମଲାରେ ଗିରଫଦାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ଓ ଝାଡ଼ଖଣ୍ଡରେ ଆଜି ୯ଟି ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଝାଡ଼ଖଣ୍ଡ ପୁଲିସ ୨ଟି କୋଚିଂ ସେଣ୍ଟରର ନିର୍ଦ୍ଦେଶକ ଏବଂ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଏହା ପ୍ରଥମ ଗିରଫଦାରୀ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଅଭିଭାବକ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି। ଝାଡ଼ଖଣ୍ଡର ଛତ୍‌୍‌ରା ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୧୨ ଜଣ ଛାତ୍ରଙ୍କୁ ପୁଲିସ ଅଟକ ରଖି ଜେରା ଚଳାଇଛି। ଏଥିରେ ପାଟନାର ଦୁଇ ଜଣ ଛାତ୍ର ମଧ୍ୟ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସର ଏସ୍‌୍‌ଆଇଟି ସନ୍ଦିଗ୍ଧ ହ୍ଵାଟ୍ସଆପ୍‌ ଗ୍ରୁପ୍‌ର ୬୦ ଜଣଙ୍କୁ ପଚରାଉଚରା କରିଛି। ସିବିଏସ୍‌ଇ ଅଧିକାରୀଙ୍କ ବୟାନ ଆଧାରରେ ସୁରକ୍ଷା ପ୍ରକ୍ରିୟାକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

ସିବିଏସ୍‌୍‌ଇର ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ଏବଂ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପ୍ରଶ୍ନପତ୍ର ମଧ୍ୟ ପ୍ରଘଟ ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଏହା କେବଳ ଏକ ମିଥ୍ୟା ପ୍ରଚାର ବୋଲି ସିବିଏସ୍‌୍‌ଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ହିନ୍ଦୀ ପ୍ରଶ୍ନପତ୍ର ବିଭିନ୍ନ ଅଂଚଳରେ ପ୍ରଘଟ ହୋଇଥିବା ଖବର ପ୍ରଚାର ହେବାପରେ ଶତାଧିକ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ସ୍ଥିତ ସିବିଏସ୍‌ଇ ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପ୍ରିଲ ୨ ତାରିଖରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା ଥିବାବେଳେ ଏହାପୂର୍ବରୁ ଏକ ପ୍ରଶ୍ନପତ୍ର ହ୍ଵାଟ୍ସଆପ୍‌ରେ ଘୂରି ବୁଲୁଛି। ତେବେ ଏହା ନକଲି ପ୍ରଶ୍ନପତ୍ର ବୋଲି ସିବିଏସ୍‌୍‌ଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସିବିଏସଇ ବୋର୍ଡ ମୁଖ୍ୟ ଅନିତା କରଓ୍ଵାଲ୍‌ କହିଛନ୍ତି ଯେ ହ୍ଵାଟ୍ସଆପ୍‌ ଏବଂ ୟୁଟ୍ୟୁବ୍‌ରେ ଯେଉଁ ହିନ୍ଦୀ ପ୍ରଶ୍ନପତ୍ର ଲିକ୍‌ କଥା କୁହାଯାଉଛି ତାହା ଏକ ଅପପ୍ରଚାର। ଏହା କୌଣସି ପୂର୍ବ ବର୍ଷର ପ୍ରଶ୍ନପତ୍ର ହୋଇଥାଇପାରେ ବୋଲି ସେ କହିଛନ୍ତି। ହିନ୍ଦୀ ପ୍ରଶ୍ନପତ୍ର ପ୍ରଘଟ ବିବାଦକୁ ନେଇ ଆଜି ଛାତ୍ର ଅସେନ୍ତାଷ ପୁଣି ତେଜିବାରୁ କର୍ତ୍ତୃପକ୍ଷଙ୍କ ଅଡ଼ୁଆ ବଢ଼ିଛି। ଏପ୍ରିଲ ୨୫ ତାରିଖରେ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପରୀକ୍ଷା ହେବବୋଲି ଘୋଷଣା ହୋଇଥିବା ବେଳେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

ଦିଲ୍ଲୀରେ ଛାତ୍ର-ପୁଲିସ ସଂଘର୍ଷ

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଛାତ୍ର ଅସନ୍ତୋଷ ତେଜୁଥିବା ବେଳେ ଆଜି ଏସ୍‌ଏସ୍‌ସି (ଷ୍ଟାଫ୍‌ ସିଲେକ୍ସନ୍‌ କମିସନ) ବୋର୍ଡ ଇତିହାସ ଏବଂ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ମଧ୍ୟ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେଇଛି। ଦିଲ୍ଲୀରେ ଆଜି ଛାତ୍ରଛାତ୍ରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଗତ ଫେବ୍ରୁଆର ୨୭ ତାରିଖରୁ ଏସ୍‌୍‌ଏସ୍‌୍‌ସି ଇତିହାସ ଏବଂ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ ଏବଂ ସେମାନଙ୍କ ଦାବି ପୂରଣ ପାଇଁ କେନ୍ଦ୍ରକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ଅଧୀନରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏପରିକି ଛାତ୍ରଛାତ୍ରୀମାନେ ଚେତାଇ ଦେଇଥିଲେ ଯେ ଯଦି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନହୁଏ ତେବେ ସାରା ଭାରତ ବର୍ଷରୁ ଛାତ୍ରଛାତ୍ରୀମାନେ ଦିଲ୍ଲୀ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ରେ ଏକଜୁଟ ହୋଇ ସଂସଦ ଘେରାଉ କରିବେ। ମାର୍ଚ୍ଚ ୨୦ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ସିିବିଆଇ ଏସ୍‌ଏସ୍‌ସି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ତଦନ୍ତ ଆରମ୍ଭ କରିଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ତଦନ୍ତ ଦାବି କରି ଆଇନଜୀବୀ ଏମଏଲ ଶର୍ମା ସୁପ୍ରିମକୋର୍ଟରେ ଏକ ପିିଟିସନ୍‌ ଦାଏର କରିଥିଲେ। ସୁପ୍ରିମକୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରି ଗତ ୧୨ ତାରିଖରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।

ସମ୍ବନ୍ଧିତ ଖବର