ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବ ସିବିଏସ୍ଇ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କରିଛନ୍ତି ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ। ଏ ନେଇ ଖୁବ୍ ଶୀଘ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ଦ୍ୱାରା ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରାଯିବ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି କହିଛନ୍ତି ଯେ, ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ତାରିଖକୁ ବହୁ ଦିନ ଧରି ଅପେକ୍ଷା କରାଯାଇଥିଲା, ଆଜି ଏହି ପରୀକ୍ଷାଗୁଡ଼ିକ ତାରିଖ ୧.୦୭.୨୦୨୦ରୁ ୧୫.୦୭.୨୦୨୦ ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି | ଏହି ପରୀକ୍ଷାରେ ଭାଗ ନେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି |

ସୂଚନା ମୁତାବକ, କରୋନାଭାଇରସ୍ ଲକ୍ଡାଉନ୍ ହେତୁ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପରୀକ୍ଷା ବିଳମ୍ବ ହୋଇଛି। ମାର୍ଚ୍ଚ ମାସରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ସାରା ଦେଶରେ ବିଶ୍ୱବିଦ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଥିଲା । କରୋନାଭାଇରସ୍ ଲକ୍ଡାଉନ୍ ପରେ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ତାରିଖ ମଧ୍ୟ ପୁନଃ ସ୍ଥିର କରାଯାଇଛି। ଆଇଆଇଟି, ଜେଇଇ ଏବଂ ଏନଇଇଟି ପରୀକ୍ଷା ଜୁଲାଇ ୧୮-୨୬ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର