ବିପିନ ରାୱତଙ୍କୁ ଉଚ୍ଚତାରେ ଯୁଦ୍ଧ ଲଢିବା ଓ ପାଲଟା ଜବାବ ଦେବାର ଏକ୍ସପର୍ଟ ବୋଲି କୁହାଯାଏ

ନୂଆଦିଲ୍ଲୀ: ଭାରତର ବିପିନ ରାୱତ ଥିଲେ ବୀର ସନ୍ତାନ। ଆଉ କଥାରେ ଅଛି ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର ହୋଇ ରହିଥାନ୍ତି  ଜନମାନସରେ । ହେଲିକପ୍ଟର ଦୁର୍ଘଟଣାରେ ଭାରତମାତାର ବୀରସନ୍ତାନ ବିପିନ ସିନା ଚାଲିଗଲେ ହେଲେ ପ୍ରତିଟି ଭାରତୀୟଙ୍କ ମନରେ ସେ ଯେଉଁ ଛାପ ଛାଡ଼ିଦେଇ ଯାଇଛନ୍ତି, ତାହା ତାଙ୍କୁ ସବୁଦିନ ଅମର କରି ରଖିବ।

ବିପିନ ରାୱତ ଥିଲେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ( ସିଡିଏସ) । ବିପିନ ରାୱତଙ୍କ ଜନ୍ମ ୧୬ ମାର୍ଚ୍ଚ ୧୯୫୮ ମସିହାରେ ଉତ୍ତରାଖଣ୍ଡରେ ହୋଇଥିଲା । ୧୯୭୮ ମସିହାରେ ବିପିନ ରାୱତ ଆର୍ମିରେ ଯୋଗ ଦେଇଥିଲେ । ୨୦୧୧ ସେ ଚୌଧୁରୀ ଚରଣ ସିଂ ୟୁନିଭରସିଟିରୁ  ମିଲିଟାରି ମିଡିଆରେ ପିଏଚଡି ଡିଗ୍ରି ହାସଲ କରିଥିଲେ ।

ବିପିନ ରାୱତଙ୍କୁ ସ୍ଥଳସେନାରେ ଉଚ୍ଚତାରେ ଯୁଦ୍ଧ ଲଢିବା ଓ ପାଲଟା ଜବାବ ଦେବାର ଏକ୍ସପର୍ଟ ବୋଲି କୁହାଯାଏ । ୨୦୧୬ରେ ଉରିରେ ସେନା କ୍ୟାମ୍ପ ଉପରେ ଆକ୍ରମଣ ପରେ ସେତେବେଳର ସ୍ଥଳସେନା ମୁଖ୍ୟ ବିପିନ ରାୱତଙ୍କ ନେତୃତ୍ୱରେ ସେପ୍ଟେମ୍ବର ୨୯ ତାରିଖରେ ପାକିସ୍ତାନରେ ପଶି ଆତଙ୍କୀ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ସେନା ।

ବିପିନ ରାୱତ ପ୍ରଥମେ କାଶ୍ମୀର ଘାଟିରେ ନ୍ୟାସନାଲ ରାଇଫଲରେ ବ୍ରିଗେଡିୟର ଓ ପରେ ମେଜର ଜେନେରାଲ ରୂପରେ ଦାୟିତ୍ୱ ସମ୍ଭାଳିଥିଲେ । ଆଉ ସେହି ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପର ଦମନ ପାଇଁ ସେ ଅନେକ ପ୍ରୟାସ ମଧ୍ୟ କରିଥିଲେ । ୨୦୧୫ ଜୁନ ମାସରେ ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ  ସ୍ଥଳସେନାର  ୨୧ ପାରା କମାଣ୍ଡୋ ପାଲଟା ଅପରେସନ୍ କରି ଅନେକ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ସେତେବେଳେ ଏହି ଅପରେସନର ନେତୃତ୍ୱ ସମ୍ଭାଳିଥିଲେ ବିପିନ ରାୱତ । ଏହିଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଅପରେସନ୍ ଜେନେରାଲ୍ ରାୱତଙ୍କ ତତ୍ତ୍ବାବଧାନରେ ସଂପାଦିତ ହୋଇଥିଲା।
ସମ୍ବନ୍ଧିତ ଖବର