ସୁଧୁରିବନି ଚୀନ୍‌: ୧୯୫୦ରୁ ୨୦୨୦, ଭାରତ-ଚୀନ୍‌ ସମ୍ପର୍କର ଚର୍ଚ୍ଚିତ ଘଟଣା

ଲଦାଖର ଗଲୱାନ ଘାଟି ସ୍ଥିତ ଭାରତ-ଚୀନ ସୀମାରେ ଗତ କିଛି ସପ୍ତାହ ହେଲା ଦେଖା ଦେଇଥିବା ଉତ୍ତେଜନା ଶେଷରେ ହିଂସାତ୍ମକ ରୂପ ନେଇଛି। ଚୀନ ସୈନିକଙ୍କ ବର୍ବର ଆକ୍ରମଣରେ ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ କେବଳ ଅଧିକ ତିକ୍ତ ହୋଇନାହିଁ ଏଥିରେ ଏକ ନୂଆ ମୋଡ଼ ମଧ୍ୟ ଆସିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ଓ ବୈଠକ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ଗତ କିଛିବର୍ଷ ହେଲା ଯେଉଁ ଉଦ୍ୟମ ହୋଇଥିଲା ତାହା ଏବେ ମୂଲ୍ୟହୀନ ହୋଇଯାଇଛି। ଦୁଇ ଦେଶ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଦେଇଛନ୍ତି। ପରସ୍ପର ବିରୋଧରେ କଠୋର ହୋଇଛନ୍ତି। ବିଶ୍ବର ଦୁଇ ଜନବହୁଳ ଦେଶ ତଥା ଆଣବିକ ଓ ଆର୍ଥିକ ଶକ୍ତିରେ ବଳିୟାନ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସଂପର୍କ ଖରାପ ହେବା ବିଶ୍ବ ସମୁଦାୟକୁ ମଧ୍ୟ ଚିନ୍ତାରେ ପକାଇଛି। ଏଭଳି ପରିସ୍ଥିତିରେ ଚୀନର ଦାଦାଗିରିକୁ ଭାରତର ନେତୃବୃନ୍ଦ ଏକାଠି ହୋଇ କିଭଳି ମୁକାବିଲା କରୁଛନ୍ତି ତାହା ଉପରେ ଦେଶବାସୀଙ୍କ ତୀକ୍ଷ୍‌ଣ ନଜର ରଖିଛି। ଚୀନକୁ ବର୍ତ୍ତମାନ ପରିପ୍ରେକ୍ଷୀରେ କେବଳ ସାମରିକ ଦୃଷ୍ଟିରୁ ନୁହେଁ, ଅର୍ଥନୈତିକ, ‌କୂଟନୈତିକ ଦୃଷ୍ଟିରୁ ମଧ୍ୟ ଜବୀବୀ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବା ହିଁ ମୋଦୀଙ୍କ ପାଇଁ ଅସଲ ପରୀକ୍ଷାର ମୁହୂର୍ତ୍ତ ଆଣିଛି।

ନୂଆଦିଲ୍ଲୀ: ଚୀନ୍‌ ସହ ଭାରତର ସଂପର୍କ ଯେତିକି ପୁରୁଣା, ସେତିକି ସଂଘର୍ଷପୂର୍ଣ୍ଣ। ଚୀନ୍‌ର ପ୍ରତ୍ୟେକ ପଦକ୍ଷେପ ପଛରେ ରହିଥିବା ଛଳନା ଓ ଚାଲ୍‌କୁ ଭାରତ ପ୍ରଥମେ ବୁଝି ପାରୁନଥିଲା। ଭାରତ ଏହାର ସରଳତା ପାଇଁ ସହଜରେ ଚୀନ୍‌ର ରଣନୀତିକୁ ବୁଝି ପାରିନଥିବାରୁ ଏହା ୧୯୬୨ରେ ଚୀନ୍‌ଠୁ ଯୁଦ୍ଧରେ ହାରି ଯାଇଥିଲା। ତେବେ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଚୀନ୍‌ ସୀମା ବିବାଦର ଅନ୍ତ ଘଟୁନି। ଭାରତ ମଧ୍ୟ ଚୀନ୍‌ ମଧ୍ୟରେ ଥିବା ରଣନୀତିକ ସମ୍ପର୍କକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଘଟଣା ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।
୧୯୫୦ : ଚୀନ୍‌ ସହ ଭାରତର ଅତି ଭଲ ସମ୍ପର୍କ ଥିଲା। କିନ୍ତୁ ବେଜିଂ ଏହାର ମାନଚ୍ଚିତ୍ରରେ ଭାରତର ଉତ୍ତରପୂର୍ବ ଅଂଶକୁ ସାମିଲ କରିବା ପ୍ରସଙ୍ଗରେ ଭାରତ ସମ୍ପୂର୍ଣ୍ଣ ଅଜ୍ଞ ଥିଲା।
୧୯୬୨: ଚୀନ୍‌କୁ ବିରୋଧ କରିବା ପରିବର୍ତ୍ତେ ଜବାହରଲାଲ ନେହରୁଙ୍କ ନେତୃତ୍ବାଧୀନ ସରକାର ନିରବ ରହିଥିଲେ। ସେ ସମୟରେ କୌଣସି ଏଲ୍‌ଏସି ନଥିଲା। ତେଣୁ ଯୁଦ୍ଧ ବିନା ଏହି ପ୍ରସଙ୍ଗର ସମାଧାନ କରିବା ସହଜ ହୋଇପାରିଥାନ୍ତା। କିନ୍ତୁ କଥାବାର୍ତ୍ତା ବଦଳରେ ଚୀନ୍‌ ନିଜର ଅଞ୍ଚଳ ଦର୍ଶାଉଥିବା ସ୍ଥାନରେ ଭାରତ ନିଜର ସାମରିକ ଘାଟି ପ୍ରତିଷ୍ଠା କରିଥିଲା। ଉଭୟ ନେହରୁ ଏବଂ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ବିଶ୍ବାସ କରିଥିଲେ ଯେ, ଚୀନ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଏହି ଯୁଦ୍ଧରେ ଭାରତ ପରାଜୟ ବରଣ କରିଥିଲା। ଏହାପରେ ପୂର୍ବତନ ସେନାମୁଖ୍ୟ ଲେପ୍ଟନାଣ୍ଟ୍‌ ଜେନେରାଲ ବିଏମ୍‌ କୌଲ୍‌ ଇସ୍ତଫା ଦେଇଥିଲେ ଏବଂ ପରେ ଏକ ରିପୋର୍ଟରେ ଭାରତର ପରାଜୟ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ମେନନ୍‌ଙ୍କୁ ଦାୟୀ କରିଥିଲେ।
୧୯୬୭: ସିକ୍କିମ୍‌ର ନାଥୁଲାରେ ଭାରତ ଏବଂ ଚୀନ୍‌ ଗୁଳି ବିନିମୟ କରିଥିଲେ। ଏହାଦ୍ବାର ୬୨ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାପରେ ପୁଣି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇ ୮୮ ଭାରତୀୟ ସୈନିକ ସହିଦ ହୋଇଥିଲେ ଏବଂ ୩୦୦ ଚୀନ୍‌ ସୈନିକଙ୍କ ମୃତ୍ୟୁ ‌ହୋଇଥିଲା।
୧୯୭୧: ସୋଭିଏତ୍‌ ୟୁନିଅନ୍‌ ସହ ଭାରତ ଶାନ୍ତି, ବନ୍ଧୁତା ଏବଂ ସହଭାଗିତାର ଏକ ଚୁକ୍ତି ସ୍ବାକ୍ଷର କରିଥିଲା। କିନ୍ତୁ ଭାରତ ବିରୋଧରେ ୧୯୭୧ ଯୁଦ୍ଧ ସମୟରେ ଚୀନ୍‌ ପାକିସ୍ତାନ ପଟେ ରହିଥିଲା।
୧୯୭୭: ମୋରାରଜୀ ଦେସାଇ ସରକାର ଚୀନ୍‌ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହିଥିଲେ। ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବେଜିଂକୁ ଐତିହାସିକ ଗସ୍ତରେ ଯାଇଥିଲେ। ଉଭୟ ଦେଶ ୧୯୭୯ରେ କୂଟନୀତିକ ସମ୍ପର୍କ ଆରମ୍ଭ କଲେ।
୧୯୮୦: ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏଲଏସିରେ ସୈନ୍ୟ ମୁତୟନ ପାଇଁ ଏକ ଯୋଜନାକୁ ସ୍ବିକୃତୀ ଦେଲେ। ବିବାଦୀୟ ଅଞ୍ଚଳରେ ଭାରତ ଏହାର ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ କରିଥିଲା। ଉଭୟ ଭାରତ ଏବଂ ଚୀନ୍‌ ‌ସୈନ୍ୟ ଅରୁଣାଚଳ ପ୍ରଦେଶରେ ସାମ୍‌ଡୋରଙ୍ଗ୍‌ ଚୁ ଭ୍ୟାଲିରେ ପା‌ଟ୍ରୋଲ୍‌ ଆରମ୍ଭ କରିଥି‌ଲେ।
୧୯୮୭: ବିଶେଷଜ୍ଞମାନେ ଆକଳନ କରୁଥିଲେ ପୁଣି ଏକ ଯୁଦ୍ଧ ହେବ। କିନ୍ତୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ବିଦେଶ ମନ୍ତ୍ରୀ ଏନ୍‌ଡି ତିୱାରୀ ଉତ୍ତେଜନା ହ୍ରାସ କରିବାପାଇଁ ବେଜିଂ ଗସ୍ତରେ ଯାଇଥିଲେ। ଉଭୟ ପକ୍ଷ ସୀମା ବିବାଦ ସଂକ୍ରାନ୍ତରେ ଏକ ଗ୍ରହଣୀୟ ସମାଧାନରେ ପହଞ୍ଚିବାପାଇଁ ରାଜି ହୋଇଥିଲେ।
୧୯୯୯: ଏହାପରେ ତିନି ଦଶନ୍ଧି ପର୍ଯ୍ୟନ୍ତ କୌଣସି ବିବାଦ ନଥିଲା। ତେବେ ଭାରତ ପୋଖରାନ୍‌ରେ ସାମରିକ ପରୀକ୍ଷା କରିବାପରେ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ‌୍ ଫର୍ଣ୍ଣାଣ୍ଡିସ୍‌ ଚୀନ୍‌କୁ ଶତ୍ରୁ ନମ୍ବର ୧ ବୋଲି କହିଥିଲେ।
୨୦୦୩: ଉଭୟ ଭାରତ ଏବଂ ଚୀନ୍‌ ସୀମା ବିବାଦର ସମାଧାନ ପାଇଁ ଯାଉଥିବା ବେଳେ ସିକ୍କିମ୍‌ ଉପ‌ରେ ଭାରତର ସାର୍ବଭୌମତ୍ବ ନେଇ ଚୀନ୍‌ ସରକାରୀ ଭାବେ ଦର୍ଶାଇଥିଲା। ୨୦୦୬ରେ ବାଣିଜ୍ୟ ପାଇଁ ନାଥୁଲା ଏବଂ ଜେଲେପ୍‌ଲା ପାସ୍‌ ଖୋଲିଲା
୨୦୦୭: ଅରୁଣାଚଳପ୍ରଦେଶରେ ଜଣେ ଆଇଏଏସ ଅଫିସର୍‌ଙ୍କଠାରୁ ଭିସା ପତ୍ରକୁ ଚୀନ୍‌ ପ୍ରତ୍ୟାଖ୍ୟାନ କଲା। ଅରୁଣାଚଳ ଚୀନ୍‌ ପରିସରଭୁକ୍ତ ବୋଲି ଚୀନ୍‌ କହିଥିଲା।
୨୦୦୮: ତିବ୍ଦତ ଚୀନ୍‌ର ଅଂଶବିଶେ‌ଷ ବୋଲି ବ୍ରିଟେନ୍‌ କହିଲା।
୨୦୦୯: ଏସିଆନ୍‌ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ୍‌ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶବିଶେଷ କହିଥିଲା ଏବଂ ବିକାଶ ପ୍ରକଳ୍ପ ପାଇଁ ଭାରତକୁ ଋଣ ଦେଇଥିଲା।
୨୦୧୩: ଏଲ୍‌ଏସି‌ରେ ଭାରତ-ଚୀନ୍‌ ସୈନିକଙ୍କ ମଧ୍ୟରେ ୩ ସପ୍ତାହ ଧରି ମୁହାମୁହିଁ ସ୍ଥିତି ଥିଲା।
୨୦୧୭: ଡୋକଲାମ୍‌ ବିବାଦ ୨୦୧୭ ମସିହାରେ ଏକ ଚର୍ଚ୍ଚିତ ବିଷୟ ଥିଲା। ଡୋକଲାମ୍‌ ନିକଟରେ ଚୀନ୍‌ ସେନା ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ବିବାଦ ଆରମ୍ଭ ହେଲା। ପ୍ରାୟ ୨ ମାସ ଧରି ତଥା ଅଗଷ୍ଟ ୨୮ ପର୍ଯ୍ୟନ୍ତ ଏହି ବିବାଦ ଜାରି ରହିଥିଲା।
୨୦୨୦: ଏପ୍ରିଲ ଏବଂ ମେ’ ମଧ୍ୟରେ ଲଦାଖ୍‌ ଏଲ୍‌ଏସି ନିକଟରେ ପ୍ରାୟ ୪ଟି ସ୍ଥାନରେ ଉତ୍ତେଜନା‌ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର