ଚୀନ ଦଖଲରେ ୬୦ ବର୍ଗ କିଲୋମିଟର !

ନୂଆଦିଲ୍ଳୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଗତମାସ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ‌ଏହାର ସମାଧାନ ପାଇଁ ଗତ ଶନିବାର ଦୁଇ ଦେଶର ବରିଷ୍ଠ ସାମରିକ ଅଧିକାରୀମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ଲାଗି ବୈଠକରେ ସହମତି ହୋଇଥିଲା। ଏଥିପାଇଁ ଆଗକୁ ବି ବୈଠକ ବସିବ। କିନ୍ତୁ ଆଲୋଚନା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଭାରତ ଭିତରେ ଚୀନ୍ ୬୦ ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଥିବାର ଖବର ମିଳିଛି।

Rediff.com

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ସେନା ଯେଉଁ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା ସେହି ଅଞ୍ଚଳ ଏବେ ଚୀନ ସେନା ଦଖଲରେ। ଯେତେବେଳେ ଚୀନ ସେନା ଏହି ଅଞ୍ଚଳ ନିଜ ଦଖଲକୁ ନେଉଥିଲେ ସେତେବେଳେ ଭାରତୀୟ ସେନା ପାଖରେ ଅଧିକ ଯବାନ ନଥିଲେ। ‌‌ଅଧିକ ସେନା ପହଂଚିବା ବେଳକୁ ଚୀନ ସେନା ସେଠାରେ ଏହାର ସ୍ଥିତିକୁ ମଜବୁତ କରିନେଇଥିଲା। ଏହି ଅଞ୍ଚଳରେ ଚୀନ ସେନା ବଙ୍କର ନିର୍ମାଣ କରୁଛି ଏବଂ ସେଠାକୁ ଯିବା ଲାଗି ସାମରିକ ଇଞ୍ଜିନିୟରମାନେ ରାସ୍ତା ନିର୍ମାଣ କରିବାକୁ ଲାଗିଛନ୍ତି। ଇତିମଧ୍ୟରେ କୁହାଯାଉଛି ଯେ ଗତ ଶନିବାର ଦିନ ଦୁଇ ଦେଶର ବରିଷ୍ଠ ସାମରିକ ଅଧିକାରୀମାନଙ୍କ ମଧ୍ୟରେ ଦୀର୍ଘ ୭ ଘଣ୍ଟା ଧରି ଆଲୋଚନା ପରେ ସୀମାରେ ଏବେ ପରିସ୍ଥିତି ଶାନ୍ତ ରହିଛି।

ସୀମା ପାଖରେ ଚୀନ ସେନାର ମୁକାବିଲା ଲାଗି ଯେତେ ସେନା ଆବଶ୍ୟକ ସେତିକି ମୁତୟନ ହୋଇ ରହିଛନ୍ତି। ଏହି ଅଞ୍ଚଳରେ ଆଜି ଭାରତୀୟ ସେନାର ଏକ ପରିବହନ ବିମାନ ମଧ୍ୟ ଅବତରଣ କରିଛି। ଆସନ୍ତା ମାସ ଦୁଇ ପକ୍ଷ ମଧ୍ୟରେ ପୁଣି ଆଲୋଚନା ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିରେ ସମାଧାନର ରାସ୍ତା ବାହାରିବାର ସମ୍ଭାବନା କମ୍ ବୋଲି କୁହାଯାଉଛି। ଡୋକଲାମ ବିବାଦ ବେଳେ ସମାଧାନ ବାଟ ବାହାର କରିବା ଲାଗି ୭୩ ଦିନ ଲାଗିଥିଲା। ତାହା ମଧ୍ୟ ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନା ଜରିଆରେ ସମାଧାନ ‌ହୋଇଥିଲା। ତେଣୁ ଗତମାସ ୫ ତାରିଖରେ ପୂର୍ବ ଲଦାଖରେ ଆରମ୍ଭ ହୋଇଥିବା ଏହି ଅଚଳାବସ୍ଥାର ଅବସାନ ପାଇଁ କେତେଦିନ ଲାଗିବ ତାହା କହିବା ମୁସ୍କିଲ।

ସମ୍ବନ୍ଧିତ ଖବର