ଗୋତବୟା ରାଜପକ୍ଷେଙ୍କୁ କ୍ଷମତା, ଭାରତର ଚିନ୍ତା ବଢ଼ାଇବ

ଫାଇଦାରେ ରହିବ ଚୀନ୍‌

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗତକାଲି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ସାନ ଭାଇ ତଥା ପୂର୍ବ ପ୍ରତିରକ୍ଷା ସଚିବ ଗୋତବୟା ରାଜପକ୍ଷେ କ୍ଷମତା ଅକ୍ତିଆର କରିଛନ୍ତି। ଗୋତବୟା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ଦ୍ବାରା ଏବେ ଭାରତର ଚିନ୍ତା ବଢ଼ିଯାଇଛି। ଚୀନ୍‌ ସହିତ ଅଧିକ ଘନିଷ୍ଠ ଥିବା ରାଜପକ୍ଷେ ତାମିଲ ବିରୋଧୀ ଭାବେ ମଧ୍ୟ ଜଣାଶୁଣା। ଶ୍ରୀଲଙ୍କାର ରାଜନୀତି ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ରାଜପକ୍ଷେଙ୍କ ବିଜୟ ଚୀନ୍‌ ପାଇଁ ‌ଯଥେଷ୍ଟ ଫାଇଦାଜନକ ସାବ୍ୟସ୍ତ ହେବ ଏବଂ ଭାରତର ସମସ୍ୟା ବଢ଼ିବ। ଶ୍ରୀଲଙ୍କା ବିଗତ କିଛି ବର୍ଷ ମଧ୍ୟରେ ଚୀନ୍‌ରେ ବିପୁଳ ପୁଂଜି ବିନିଯୋଗ କରିଛି। ମହିନ୍ଦା ରାଜପକ୍ଷେ କ୍ଷମତାରେ ଥିବା ସମୟରେ ଚୀନ୍‌ରୁ ଶହ ଶହ କୋଟି ଡଲାର ଋଣ ନେଇଥିଲେ। କଲମ୍ବୋ ବନ୍ଦରକୁ ଚୀନ୍‌ର ଯୁଦ୍ଧ ପୋତ ପାଇଁ ସେ ଖୋଲି ଦେଇଥିଲେ। କଲମ୍ବୋ ବନ୍ଦରକୁ ବିକଶିତ କରିବା କ୍ଷେତ୍ରରେ ମଧ୍ୟ ଚୀନ୍‌ ଏକ ବଡ଼ ଭୂମିକା ନିର୍ବାହ କରିଥିଲା। ଭାରତ ମହାସାଗରରେ ଚୀନ୍‌ର ଦାଦାଗିରି ବଢ଼ୁଥିବା ବେଳେ ଏଥିରେ ଶ୍ରୀଲଙ୍କାର ସହଯୋଗ ମାମଲାକୁ ଗମ୍ଭୀର କରୁଛି।

ଚୀନ୍‌ ହମ୍ବନଟୋଟାର ବିଶାଳ ବନ୍ଦର ନିର୍ମାଣରେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଛି ଏବଂ ଏଥିପାଇଁ ଶ୍ରୀଲଙ୍କା ଏବେ ଋଣ ବୋଝ ଭିତରେ ରହିଛି। ଏବେ ଗୋତବୟା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ଚୀନ୍‌କୁ ଖୁସି କରିବା ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରିବେ। ଶ୍ରୀଲଙ୍କାରେ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକର ବିକାଶ ପାଇଁ ଚୀନ୍‌କୁ ଏକଚାଟିଆ ଅଧିକାର ମିଳିଲେ ଏହା ଭାରତର ସମସ୍ୟା ବଢ଼ାଇବ। ଶ୍ରୀଲଙ୍କାକୁ ଚୀନ୍‌ ନିଜର ସାମରିକ ଘାଟି ଭଳି ବ୍ୟବହାର କଲେ ଭାରତ ପାଇଁ ସଙ୍କଟ ବଢ଼ିଯିବ। ଭାରତ ଆସୁଥିବା ଅନେକ ସାମଗ୍ରୀ ଏବେ କଲୋମ୍ବା ବନ୍ଦର ଦେଇ ଆସୁଛି। ଶ୍ରୀଲଙ୍କାକୁ ପ୍ରବଳ ଋଣ ବୋଝ ଭିତରେ ରଖି ଚୀନ୍‌ ତା’ର ଲକ୍ଷ୍ୟ ସାଧନ ଦିଗରେ ଏବେ ଅଗ୍ରସର ହେଉଥିବାରୁ ଭାରତ ଏବେ ପରିସ୍ଥିତି ଉପରେ ସତର୍କ ନଜର ରଖିଛି।

ସମ୍ବନ୍ଧିତ ଖବର