ଭାରତକୁ ଆଚମ୍ବିତ କରିଛି ଚୀନ୍‌ର ଅପସାରଣ ବେଗ; ୨ ଦିନରେ ୨୦୦ରୁ ଅଧିକ ଯୁଦ୍ଧ କମାଣ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଗୁରୁବାର ସୁଦ୍ଧା ପାଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣକୂଳରୁ ୨୦୦ରୁ ଅଧିକ ଯୁଦ୍ଧ କମାଣ ପ୍ରତ୍ୟାହାର କରିଛି। କେବଳ ସେତିକି ନୁହେଁ, ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତରକୂଳରୁ ଶ୍ରୀଜାପ ସେକ୍ଟର୍‌ ‘ଫିଙ୍ଗର୍‌’ (ପର୍ବତ ଶୃଙ୍ଗ ମଧ୍ୟସ୍ଥ ଅଞ୍ଚଳ) ଏବଂ ‘ଫିଙ୍ଗର୍‌ ୮’ର ପୂର୍ବପାର୍ଶ୍ୱରୁ ସୈନିକମାନଙ୍କୁ ନେବା ଲାଗି ଚୀନ୍‌ ଅନ୍ୟୂନ ୧୦୦ରୁ ଭାରୀଯାନ ପ୍ରସ୍ତୁତ କରି ରଖିଛି। ମାତ୍ର ଦୁଇ ଦିନ ମଧ୍ୟରେ ଚୀନ୍‌ର ଏ ପ୍ରକାର ତ୍ୱରିତ୍ୱ ଅପସାରଣ ଭାରତୀୟ ସେନା ଅଧିକାରୀ ଏବଂ ଜାତୀୟ ନିରାପତ୍ତା ଯୋଜନାକାରୀଙ୍କୁ ଆଚମ୍ବିତ କରିଛି।

ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ ଏବଂ ସେମାନଙ୍କ ବେଜିଙ୍ଗ୍‌ ପ୍ରତିପକ୍ଷଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ବହୁ ପର୍ଯ୍ୟାୟ କୂଟନୈତିକ ଏବଂ ସାମରିକ ଆଲୋଚନା ହେବା ପରେ ବୁଧବାର ସକାଳ ୯ଟାରେ ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ଅପସାରଣ ଆରମ୍ଭ ହୋଇଥିଲା। ପୂର୍ବ ଲଦାଖରେ ଭାରତ ନିଜ ସ୍ଥିତିରେ ଅଟଳ ରହିବା ଏବଂ ନିଜ ଅଞ୍ଚଳରୁ ସାମାନ୍ୟତମ ଭୂମି ଚୀନ୍‌କୁ ନ ଛାଡ଼ିବା ଲାଗି ଅଟଳ ରହିବାରୁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି।

Image Courtesy of Hindustan Times

ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଚୀନ୍‌ର ଅପସାରଣ ବେଗ ମଧ୍ୟ ତା’ର ମୁତୟନ ସାମର୍ଥ୍ୟକୁ ପ୍ରତିପାଦିତ କରୁଛି। ଏହା ଏକ ସାମରିକ କଳା। ଭାରତ ମଧ୍ୟ ତା’ର ଯୁଦ୍ଧ କମାଣ ପ୍ରତ୍ୟାହାର କରିଛି। କିନ୍ତୁ, ଏ ମଧ୍ୟରେ ଯଦି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତା’ର ମୁକାବିଲା ନିମନ୍ତେ ମଧ୍ୟ ଭାରତ ପ୍ରସ୍ତୁତ ରହିଛି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ପୂର୍ବ ଲଦାଖରେ ଅପସାରଣ କାର୍ଯ୍ୟ ସଂକ୍ରାନ୍ତରେ ଉଭୟ ଚୀନ୍‌ ଓ ଭାରତ ସନ୍ତୋଷ ବ୍ୟକ୍ତ କରିଛନ୍ତି। ୧, ୫୯୭ କିଲୋମିଟର୍‌ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପୂର୍ବାବସ୍ଥା ଫେରାଇ ଆଣିବା ଉଭୟ ଦେଶର ଲକ୍ଷ୍ୟ।

ସମ୍ବନ୍ଧିତ ଖବର