ଚୀନର ପ୍ରସ୍ତାବ : ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପକୁ ପାକସେନାକୁ ହସ୍ତାନ୍ତର କରାଯାଉ !

ଇସ୍‌ଲାମବାଦ: ପାକିସ୍ତାନରେ ନିର୍ମାଣାଧୀନ ଥିବା ତିନିଗୋଟି ବୃହତ୍‌ ସଡକ ପ୍ରକଳ୍ପକୁ ଅର୍ଥ ସହାୟତା ବନ୍ଦ କରିବା ଲାଗି ଚୀନ ନିଷ୍ପତ୍ତି ନେବା ପରେ ଏବେ ଏହି ପ୍ରକଳ୍ପ କାର୍ଯ୍ୟକୁ ପାକିସ୍ତାନୀ ସେନା କବଜାକୁ ନିଅନ୍ତୁ ବୋଲି ଚୀନ ଇଚ୍ଛା ବ୍ୟକ୍ତ କରିଥିବା ଜାଣିବାକୁ ମିଳିଛି। ଏଥି ପୂର୍ବରୁ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଚୀନ ନାଗରିକମାନଙ୍କୁ ସତର୍କ କରାଇ ଦିଆଯାଇଥିଲା କି ସେମାନେ କୌଣସି ମୁହୂର୍ତ୍ତରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ କି, ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର ନିର୍ମାଣ ଲାଗି ଆସୁଥିବା ଅର୍ଥ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ହାତରେ ପଡ଼ୁଥିବା ସନ୍ଦେହରେ ଚୀନ ସାମୟିକ ପାଣ୍ଠି ଯୋଗାଣ ବନ୍ଦ ଘୋଷଣା କରିଥିଲା। ବନ୍ଧୁରାଷ୍ଟ୍ରର ଏତାଦୃଶ ନିଷ୍ପତ୍ତିରେ ପାକ୍‌ ପ୍ରଶାସକ ସ୍ତମ୍ଭୀଭୂତ ହୋଇପଡ଼ିଛି । ବର୍ତ୍ତମାନ ପ୍ରକଳ୍ପକୁ ସେନା ହାତକୁ ଦେବା ଲାଗି ଚୀନର ପ୍ରସ୍ତାବ ପାକ୍‌ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି। ବୈଦେଶିକ ସଂପର୍କ ବିଶେଷଜ୍ଞମାନେ ଚୀନର ଏହି ପ୍ରସ୍ତାବ ଏହାର ନାଗରିକଙ୍କ ସୁରକ୍ଷା ଓ ପାକ ପ୍ରଶାସନର ଦୁର୍ନୀତି ଯୋଗୁଁ ବାଟମାରଣା ହେଉଥିବା ଅର୍ଥର ସୁରକ୍ଷା ଲାଗି ଉଦ୍ଦିଷ୍ଟ।

ଗତ କିଛି ଦିନ ତଳେ ପାକିସ୍ତାନ୍‌ର ‘ ଡନ୍‌’ ଖବରକାଗଜରେ ପ୍ରକାଶିତ ହୋଇଥିଲା କି, ଏହା ଦ୍ୱାରା ପାକିସ୍ତାନ୍‌ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଟ୍ରିଲିଅନ୍‌ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ସଡକ ପ୍ରକଳ୍ପର କାର୍ଯ୍ୟ ବାଧାପ୍ରାପ୍ତ ହେବ । ପାକିସ୍ତାନ କର୍ତ୍ତୃପକ୍ଷ ଏହି ଅର୍ଥର ସଠିକ ବିନିଯୋଗ କରୁ ନଥିବା କଥା ଜାଣିବା ପରେ ଚୀନ୍‌ ଏପରି ପଦକ୍ଷେପ ନେଇଛି । ଏହି ଅର୍ଥ ବ୍ୟୟ ଲାଗି ଏକ ନୂତନ ଗାଇଡ୍‌ ଲାଇନ୍‌ ଚୀନ୍‌ ପ୍ରସ୍ତୁତ କରୁଛି । ଏହା ପ୍ରସ୍ତୁତ ହେବା ପରେ ଚୀନ୍‌ ପକ୍ଷରୁ ଅର୍ଥରାଶି ଯୋଗାଣ ଆରମ୍ଭ ହୋଇପାରେ ।

୬୦ ଟ୍ରିଲିଅନ୍‌ ଆମେରିକୀୟ ଡଲାର୍‌ ବ୍ୟୟରେ ନିର୍ମିତ ଏହି ବୃହତ୍‌ ସଡକ ପ୍ରକଳ୍ପ ପାକ୍‌ ଅଧିକୃତ କାଶ୍ମୀର ଓ ପାକିସ୍ତାନର ବଲୋଚିସ୍ତାନ୍‌ ସହିତ ଚୀନ୍‌ର ଜିଂଜିଆଙ୍ଗ୍‌ ପ୍ରଦେଶକୁ ସଂଯୁକ୍ତ କରିବ ।

ସମ୍ବନ୍ଧିତ ଖବର