ଆଲୋଚନାର ଦିନକ ପରେ ଚୀନର ଅପପ୍ରଚାର, ସମରାଭ୍ୟାସ ଭିଡିଓ ଦେଖାଇ ଭାରତକୁ ଡରାଇବାକୁ ଉଦ୍ୟମ

ନୂଆଦିଲ୍ଲୀ :  ଭାରତ ଓ ଚୀନ ମଧ୍ୟରେ ସାମରିକ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଦିନକ ପରେ ଚୀନ ପୁଣି ଥରେ ନିଜର ପ୍ରୋପାଗେଣ୍ଡା ବା ଅପପ୍ରଚାର ଆରମ୍ଭ କରିଦେଇଛି ।  ସୀମାରେ ନିଜର ସାମରିକ ଶକ୍ତିକୁ ଦର୍ଶାଇ ଚୀନ  ଭାରତ ଉପରେ ମାନସିକ ଚାପ  ସୃଷ୍ଟି  କରିବାକୁ ଚେଷ୍ଟା କରିଛି ।

ଚୀନ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସରେ ଏକ ଭିଡିଓ ଜାରି କରି ସୀମାରେ ନିଜର ସାମରିକ ଶକ୍ତିକୁ ଦର୍ଶାଯାଇଛି ।   ଏହି ଭିଡିଓରେ ତିବ୍ବତରେ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପକ୍ଷରୁ ଏକ ବଡ଼ ଧରଣର ସମରାଭ୍ୟାସ କରାଯାଉଥିବା ଦର୍ଶାଯାଇଛି ।      ଏହି ସମରାଭ୍ୟାସରେ ପିଏଲଏ ସମେତ ପିଏଲଏ ବାୟୁସେନା ଓ ରକେଟ ଫୋର୍ସ ମଧ୍ୟ ଭାଗ ନେଇଥିବା ଦେଖାଯାଇଛି ।    ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ କିଛି ଘଣ୍ଟା ଧରି ଚାଲିଥିବା ଏହି  ସମରାଭ୍ୟାସରେ ଅନେକ ପ୍ରକାରର ଆଧୁନିକ ମିଲିଟାରୀ ଉପକରଣ, ସାମରିକ ଲଢୁଆ ଯାନର ଉପଯୋଗ କରାଯାଇଥିଲା । ଉଚ୍ଚ ପାର୍ବତୀୟ ଅଂଚଳରେ ଚୀନ ସେନାର କ୍ଷମତାକୁ ଏହା ଦର୍ଶାଉଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ତେବେ ଭାରତ ଉପରେ ମାନସିକ ଚାପ ସୃଷ୍ଟି  କରିବାକୁ  ଚୀନର ଏହା ଏକ ଉଦ୍ୟମ  ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି । ନିଜ ଶତ୍ରୁ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଚୀନର ଏହା ଏକ ପୁରୁଣା କୌଶଳ । କିନ୍ତୁ ଭାରତୀୟ ସେନା ଏସଂପର୍କରେ ଅବଗତ ଥିବାରୁ ଏ ନେଇ  ଚିନ୍ତାର କାରଣ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଗତକାଲି ଭାରତ ଓ ଚୀନର ସେନା କମାଣ୍ଡରଙ୍କ ଆଲୋଚନା ଲଦାଖକୁ ଲାଗିଥିବା ଚୀନର ତିବ୍ବତର ମୋଲଡୋଠାରେ ହୋଇଥିଲା । ଭାରତ ତରଫରୁ ୧୪ କର୍ପସର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ତିବ୍ବତ ମିଲିଟାରୀ ଡିଷ୍ଟ୍ରିକ୍ଟର କମାଣ୍ଡର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଦୁଇ ପକ୍ଷ ରାଜି ହୋଇଛନ୍ତି ।

ସମ୍ବନ୍ଧିତ ଖବର