ତାଇୱାନ୍‌ ବିରୋଧରେ ଚୀନ୍‌ର ଯୁଦ୍ଧ ପ୍ରସ୍ତୁତି: ଶତାଧିକ ଯୁଦ୍ଧ ବିମାନ ମୁତୟନ

୬ ପଟୁ ଘେରି ରହିଛି ଯୁଦ୍ଧପୋତ

ତାଇପେଇ: ଦ୍ବୀପରାଷ୍ଟ୍ର ତାଇୱାନକୁ ସବୁ ଦିଗରୁ ଘେରି ରହିଥିବା ଚୀନ୍‌ ୪ ଦିନ ଧରି ବଡ଼ ଧରଣର ସମରାଭ୍ୟାସ ଜାରି ରଖିଛି ଏବଂ ତାଇୱାନର ନୌବାଣିଜ୍ୟ କାରବାରକୁ ଠପ୍‌ କରିଦେବା ପାଇଁ ବିଶାଳ ଯୋଜନା କରିଛି। ଚୀନ୍‌ର ୬ଟି ବିଶାଳ ଯୁଦ୍ଧ ପୋତ ଏବଂ ଶତାଧିକ ଯୁଦ୍ଧ ବିମାନ ତାଇୱାନ ଜଳରାଶିରେ ଆତଙ୍କ ସୃଷ୍ଟି କରୁଛନ୍ତି। ଗତକାଲି ସୁଦ୍ଧା ମାତ୍ର ୩୦ ବିମାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ଅଚାନକ ଶହେ ଟପି ଯାଇଛି। ଏଭଳି ସ୍ଥିତିରେ ଚୀନ୍‌ ଯେ କୌଣସି ସମୟରେ ତାଇୱାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେବା ସମ୍ଭାବନା ବଳବତ୍ତର ହୋଇଛି।

ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଚୀନ୍‌କୁ ତୁରନ୍ତ ସାମରିକ ଅଭ୍ୟାସ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଚୀନ୍‌ ଏଥିପ୍ରତି କର୍ଣ୍ଣପାତ କରିନାହିଁ ଏବଂ ଦୁଇ ଦିନ ତଳେ ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌କୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ଆଜି ଶତାଧିକ ଯୁଦ୍ଧ ବିମାନ ପଠାଇ ଚୀନ୍‌ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏଥିରେ ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ସାମିଲ ରହିଛି । ଚୀନ୍‌ର ଏଭଳି ପଦକ୍ଷେପ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିବା ବେଳେ ତାଇୱାନ ନିଜର ସୁରକ୍ଷା ପାଇଁ ଯଥାସମ୍ଭବ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ତାଇୱାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍‌ କ୍ଷେପଣାସ୍ତ୍ରର ଜବାବ ଦେବାକୁ ହାଇଆଲର୍ଟରେ ରହିଛି।

ଚୀନ୍‌-ତାଇୱାନ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆମେରିକା ପ୍ରଶାସନ ତାଇୱାନ ପ୍ରତି ପୂର୍ଣ୍ଣ ସମର୍ଥନ ଜାରି ରଖିଛି ଏବଂ ତାଇୱାନକୁ ଯଥା ସମ୍ଭବ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି। ତେବେ ତାଇୱାନ ତଟରୁ ମାତ୍ର ୨୦ କିଲୋମିଟର ଦୂରରେ ଚୀନ୍‌ ସେନା ବାରୁଦ ବର୍ଷା କରୁଥିଲେ ମଧ୍ୟ ଏଭଳି ସଙ୍କଟର ସମାଧାନ ପାଇଁ ଆମେରିକା କୌଣସି ଫଳପ୍ରଦ ଯୋଜନା କରିପାରୁ ନାହିଁ। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ତାଇୱାନର ଭାଗ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସ୍ଥିରତା ଭିତରେ ରହିବ ନାହିଁ ଏବଂ ‘ୱାନ୍‌ ଚାଇନା’ ନୀତିକୁ ନେଇ କୌଣସି ସାଲିସ ହେବ ନାହିଁ। ତାଇୱାନକୁ ନେଇ କୌଣସି ବାହ୍ୟ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିନ୍‌ପିଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର