ପାଇଜାମା ପିନ୍ଧି ବାହାରକୁ ଆସିଥିବା ଲୋକଙ୍କୁ ଲଜ୍ଜିତ କରିବା ପରେ କ୍ଷମା ମାଗିଲେ ଚୀନ୍‌ ସହରର କର୍ତ୍ତୃପକ୍ଷ

ବେଜିଙ୍ଗ୍‌: ଜନ ଅସନ୍ତୋଷ ପ୍ରବଳ ହେବାରୁ ସର୍ବସାଧାରଣ ସ୍ଥାନରେ ପାଇଜାମା ପିନ୍ଧିଥିବା ଲୋକଙ୍କୁ ଲଜ୍ଜିତ କରାଇଥିବା ଚୀନ୍‌ର ଗୋଟାଏ ସହରର କର୍ତ୍ତୃପକ୍ଷମାନେ କ୍ଷମାପ୍ରାର୍ଥନା କରିଛନ୍ତି।

ଚୀନ୍‌ର ଅନୁହି ପ୍ରଦେଶସ୍ଥିତ ସୁଝୋଉ ସହରରେ ପାଇଜାମା ପିନ୍ଧି ପଦାରେ ବୁଲୁଥିବା ୭ଜଣ ବ୍ୟକ୍ତିଙ୍କ ଫଟୋକୁ ‘ଅସଭ୍ୟ ଆଚରଣ’ ଶିରୋନାମାରେ ସହରର ମ୍ୟାନେଜ୍‌ମେଣ୍ଟ୍‌ ବ୍ୟୁରୋ ଅନ୍‌ଲାଇନ୍‌ରେ ପ୍ରକାଶ କରିଥିଲା। ଏହି ପାଇଜାମା ପରିହିତ ବ୍ୟକ୍ତିମାନଙ୍କର ଫଟୋଗୁଡ଼ିକୁ ସିସିଟିଭିରୁ ସଂଗ୍ରହ କରାଯାଇଥିଲା। ଫଟୋ ତଳେ ଥିଲା ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ନାମ, ପରିଚୟପତ୍ର ଏବଂ ଅନ୍ୟାନ୍ୟ ସୂଚନା। ସୋମବାର ଦିନ ‘ବିବିସି’ ଏ ସଂକ୍ରାନ୍ତରେ ରିପୋର୍ଟ କରିଥିଲା।

ଏହି ଫଟୋଚିତ୍ରଗୁଡ଼ିକ ପ୍ରକାଶ ପାଇବା ପରେ ଜନ ଅସନ୍ତୋଷ ଦେଖା ଦେଇଥିଲା। ଡ୍ରେସ୍‌କୋଡ୍‌ ଲାଗୁ କରି ଲୋକଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରାଯାଉଛି ବୋଲି ଲୋକେ ସରକାରଙ୍କ ଉପରେ ଦୋଷାରୋପ କରିଥିଲେ।

Image Courtesy of The Times of India

କର୍ତ୍ତୃପକ୍ଷମାନେ ଯୁକ୍ତିବାଢ଼ିଥିଲେ କି, ସେମାନେ ଜାତୀୟସ୍ତରୀୟ ପ୍ରତିଯୋଗିତା ‘ସିଭିଲାଇଜ୍‌ଡ୍‌ ସିଟି’ରେ ଭାଗ ନେଇଥିବାରୁ ସର୍ବସାଧାରଣ ସ୍ଥାନରେ ପାଇଜାମା ପିନ୍ଧିବା ବାରଣ କରାଯାଇଛି। ଏହାଛଡ଼ା ବାହାରେ ଥିବା ‘ବେଞ୍ଚ୍‌ରେ ଅଶାଳୀନ ଭାବେ ଶୋଇବା’ ଏବଂ ‘ଲିଫ୍‌ଲେଟ୍‌ ବଣ୍ଟନ’କୁ ମଧ୍ୟ ମନ୍ଦ ଆଚରଣ ଭାବେ ଅଭିହତି କରାଯାଇଛି।

Image Courtesy of BBC.com

ପାଇଜାମା ପିନ୍ଧିବା ପ୍ରସଙ୍ଗରେ ଜନ ଅସନ୍ତୋଷ ତେଜିବାରୁ କର୍ତ୍ତୃକ୍ଷମାନେ କ୍ଷମାଯାଚନା କରି ଲେଖିଛନ୍ତି: ଆମେ ଅସଭ୍ୟ ଆଚରଣର ଅବସାନ ଚାହୁଁଥିଲୁ, କିନ୍ତୁ ନଗରବାସୀଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତା ମଧ୍ୟ ରକ୍ଷା କରାଯିବା ଉଚିତ।

ସେ ଚିତ୍ରଗୁଡ଼ିକୁ ଝାପ୍‌ସା (ବ୍ଲର୍‌) କରିଦିଆଯିବା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର