୧୦ ବର୍ଷ ମଧ୍ୟରେ ମହିଳାମାନେ ୬ଗୁଣ ଅଧିକ କଣ୍ଡୋମ ବ୍ୟବହାର କରିଛନ୍ତି

ନୂଆଦିଲ୍ଲୀ: ଏବେ ବହୁ ସଂଖ୍ୟକ ଅବିବାହିତା ତଥା ଯୌନାଚାରରେ ସକ୍ରିୟ ଥିବା ମହିଳା ନିରାପଦ ଯୌନକ୍ରିୟା ଚାହୁଁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ୨୦୧୫-୧୬ ବର୍ଷରେ କରିଥିବା ‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ’ରୁ ଜଣାପଡ଼ିଛି ଯେ ଯୌନାଚାରରେ ସକ୍ରିୟ ଥବା ୧୫ରୁ ୪୯ ବର୍ଷୀୟ ନାରୀମାନଙ୍କ କ୍ଷେତ୍ରରେ କଣ୍ଡୋମ୍‌ର ବ୍ୟବହାର ଗତ ୧୦ ବର୍ଷ ମଧ୍ୟରେ ୨%ରୁ ୧୨%କୁ ବୃଦ୍ଧି ପାଇଛି।

୨୦ ରୁ ୨୪ ବର୍ଷୀୟ ଅବିବାହିତା ନାରୀମାନେ ସର୍ବାଧିକ କଣ୍ଡୋମ୍‌ ବ୍ୟବହାର କରୁଥିବାର ଦେଖା ଯାଉଛି। ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ପ୍ରତି ଆଠ ଜଣ ପୁରୁଷଙ୍କ ମଧ୍ୟରୁ ତିନି ଜଣ ବିଶ୍ୱାସ କରନ୍ତି, ଗର୍ଭନିରୋଧକ ହେଉଛି ନାରୀମାନଙ୍କର ବ୍ୟାପାର। ତେଣୁ ପୁରୁଷମାନେ ଏଥି ପ୍ରତି ଚିନ୍ତିତ ହେବା ଅନୁଚିତ।


ଖୁସିର କଥା, ଦେଶରେ ଗର୍ଭନିରୋଧକ ଉପାୟମାନ ପ୍ରାୟ ସାର୍ବଜନୀନ ହୋଇ ସାରିଛି। ବିବାହିତା ମହିଳାଙ୍କ ମଧ୍ୟରୁ ୯୯% ଏବଂ ୧୫ ରୁ ୪୯ ବର୍ଷିୟ ପୁରୁଷଙ୍କୁ ଅନ୍ୟୂନ ଗୋଟିଏ ଗର୍ଭନିରୋଧକ ଉପାୟ ମାଲୁମ ଅଛି। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ନିରାପଦ ଯୌନାଚାର ସର୍ବତ୍ର ବ୍ୟାପିଯାଇଛି। ୧୫ ରୁ ୪୯ ବର୍ଷୀୟ ବିବାହିତା ମହିଳାଙ୍କ ମଧ୍ୟରେ କଣ୍ଟ୍ରାସେପ୍‌ଟିଭ୍‌ ପ୍ରିଭେଲେନ୍‌ସ୍‌ ରେଟ୍‌ (ସିପିଆର୍‌) ହାର ହେଉଛି ମାତ୍ର ୫୪%। ପୁଣି ସେଥିରୁ ମାତ୍ର ୧୦% ଆଧୁନିକ ଗର୍ଭ ନିରୋଧକ ଉପାୟ ଅବଲମ୍ବନ କରୁଛନ୍ତି।

ମଣିପୁର, ବିହାର ଏବଂ ମେଘାଳୟରେ ଗର୍ଭନିରୋଧକର ବ୍ୟବହାର ସବୁଠୁ କମ୍‌ ଅର୍ଥାତ୍‌ ମାତ୍ର ୨୪% ବୋଲି ସର୍ଭେ କହୁଛି। କିନ୍ତୁ, ପଞ୍ଜାବରେ ଏହାର ବ୍ୟବହାର ସର୍ବାଧିକ ଅର୍ଥାତ୍‌ ୭୬%। କେନ୍ଦ୍ର ଶାସିତ ଅଞ୍ଚଳ ସବୁରେ ସବୁଠ କମ୍‌ (୩୦%) ଗର୍ଭ ନିରୋଧକର ବ୍ୟବହାର ଲକ୍ଷାଦ୍ୱୀପରେ ହୋଇଛି। କିନ୍ତୁ ଚଣ୍ଡୀଗଡ଼ରେ ଏହାର ବ୍ୟବହାର ପହଞ୍ଚିଥିଲା ୭୪%ରେ।

ସର୍ଭେରୁ ଜଣାପଡ଼ିଛି ଯେ ୬୫% ଶିଖ୍‌, ବୌଦ୍ଧଧର୍ମାବଲମ୍ବୀ ଓ ଦଳିତ-ବୌଦ୍ଧଧର୍ମାବଲମ୍ବୀ ମହିଳାମାନେ ଆଧୁନିକ ଗର୍ଭନିରୋଧକ ପଦ୍ଧତିର ଉପଯୋଗ କରୁଛନ୍ତି। ଏ କ୍ଷେତ୍ରରେ ମୁସଲମାନ ମହିଳାଙ୍କ ସଂଖ୍ୟା ମାତ୍ର ୩୮%।

ଆଧୁନିକ ଗର୍ଭନିରୋଧକ ବ୍ୟବହାର କରୁଥିବା ପ୍ରତି ୧୦ ଜଣରୁ ୭ ଜଣ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାରୁ ଏହା ପାଉଛନ୍ତି।

Image Courtesy of TOI

କିନ୍ତୁ, ଏବେ ମଧ୍ୟ ପରିବାର ନିୟୋଜନ ଚିନ୍ତାର ବିଷୟ ହୋଇ ରହିଛି। ସର୍ଭେ ଅନୁସାରେ, ଏବେ ଏବେ ବିବାହ କରିଥିବା ୧୫-୪୯ ବର୍ଷୀୟ ମହିଳାମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମାତ୍ର ପରିବାର ନିୟୋଜନ ଦାବି କରୁଛନ୍ତି। ୫୫% ଚାହୁଁଛନ୍ତି ସନ୍ତାନ ଜନ୍ମ ମଧ୍ୟରେ ବ୍ୟବଧାନ ବଢ଼ାଇବାକୁ ଏବଂ ୫୫% ଚାହୁଁଛନ୍ତି ଜନ୍ମନିୟନ୍ତ୍ରଣ କରିବାକୁ। ଯଦି ସଦ୍ୟ ବିବାହିତା ସବୁ ମହିଳା ସନ୍ତାନ ଜନ୍ମ ମଧ୍ୟରେ ବ୍ୟବଧାନ କିଂବା ନିୟନ୍ତ୍ରଣ ଚାହାଁନ୍ତି ତେବେ ଗର୍ଭ ନିରୋଧକର ବ୍ୟବହାର ୫୪% ରୁ ୬୬%କୁ ବୃଦ୍ଧି ପାଇବ।

ଇଣ୍ଟର୍‌ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେସନ୍‌ ସାଇନ୍‌ସ୍‌ ପ୍ରସ୍ତୁତ କରିଥିବା ‘ଏନ୍‌ ଏଫ୍‌ ଏଚ୍‌ ଏସ୍‌- ୪’ ୬, ୦୧, ୫୦୯ ପରିବାରରେ ସାକ୍ଷାତ୍‌କାର ଏବଂ କ୍ଷେତ୍ର ପରୀକ୍ଷଣ କରି ୯୮% ଉତ୍ତର ଉପରେ ପର୍ଯ୍ୟବେଶିତ। ୧୯୯୦ ଦଶକରେ ଏହି ସର୍ଭେ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର