ଭାରତ ସହ ବିବାଦ ପଡ଼ିଲା ମହଙ୍ଗା: ଗୋଟିଏ ମାସରେ କାନାଡ଼ାର ୮୦୦ କମ୍ପାନୀ ଦେବାଳିଆ

ଟରଣ୍ଟୋ: ବ୍ରିଟେନ୍ ସହିତ ବିଶ୍ବର ବହୁ ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପରିଲକ୍ଷିତ ହେବାରେ ଲାଗିଛି। ଜାପାନ ଏଭଳି ସ୍ଥିତିରୁ ଅଳ୍ପକେ ଦୂରେଇ ରହିଛି। ଏବେ କାନାଡ଼ା ଉପରେ ଆର୍ଥିକ ମାନ୍ଦାବସ୍ଥାର ସଙ୍କଟ ଦୃଷ୍ଟିଗୋଚର ହେବାରେ ଲାଗିଛି। ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଭାରତ ସହିତ ବିବାଦ ଆରମ୍ଭ କରିବା ପରେ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୨୪ ଜାନୁୟାରୀରେ ଦେଶର ୮୦୦ କମ୍ପାନୀ ‌ନିଜକୁ ଦେବାଳିଆ ଘୋଷଣା କରିଥିଲେ। ଏହା ପୂର୍ବରୁ ୨୦୨୩ରେ ଦେଶରେ ଦେବାଳିଆ ହୋଇଥିବା କମ୍ପାନୀଙ୍କ ସଂଖ୍ୟାରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। ସମ୍ପ୍ରତି ନିଜକୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରୁଥିବା କମ୍ପାନୀଙ୍କ ସଂଖ୍ୟା ଗତ ୧୩ ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି। କରୋନା ମହାମାରୀ ସମୟରେ ଦେଶର କମ୍ପାନୀଗୁଡ଼ିକୁ ୪୫,୦୦୦ ଡଲାରର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଥିଲା। ତେବେ ଋଣ ସୁଝିବାର ଅନ୍ତିମ ତାରିଖ ୨୦୨୪ ଜାନୁୟାରୀରେ ଶେଷ ହୋଇଛି। କାନାଡ଼ାର ଜିଡ଼ିପିରେ ଛୋଟ କମ୍ପାନୀଙ୍କ ଯୋଗଦାନ ୩୩ ପ୍ରତିଶତ ରହିଛି।

ଏବେ ଦେଶରେ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିବାକୁ ଆବେଦନ ସଂଖ୍ୟା ବଢୁଥିବାରୁ କାନାଡ଼ା‌ ଆର୍ଥିକ ମାନ୍ଦାବସ୍ଥା ମୁହାଁ ହୋଇଥିବା କୁହାଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି। ତେବେ ଛୋଟ କମ୍ପାନୀ ଏବଂ ଉପଭୋକ୍ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ୨୦୨୪ ଡିସେମ୍ବରରେ ଦେଶର ଅର୍ଥନୀତି ୦.୩ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଉଛି।

ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ୨୦୨୩ରେ ଭାରତ ସହିତ ବିବାଦ ଆରମ୍ଭ କରିଥିଲେ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ହାତ ଥିବା ସେ ଅଭିଯୋଗ କରିଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଉଭୟ ଦେଶ ସେମାନଙ୍କର କୂଟନୈତିଜ୍ଞଙ୍କୁ ଦେଶରୁ ବାହାର କରିଥିଲେ। ଦୁଇ ଦେଶ ମଧ୍ୟରେ ବିବାଦ ୨୦୨୩ ସେପ୍ଟେମ୍ବରରେ ଦିଲ୍ଲୀରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଷ୍ଟିନ ଟ୍ରୁଡୋଙ୍କମଧ୍ୟରେ ବୈଠକ ହୋଇଥିଲା। ମୋଦୀ ତାଙ୍କୁ କାନାଡ଼ାରେ ଖଲିସ୍ତାନୀ ଗତିବିଧି ରୋକିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ‌ତେବେ ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଭାରତ କାନାଡ଼ାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ। ହରଦୀପ ସିଂ କାନାଡ଼ାର ନାଗରିକ ଥିଲେ ଏବଂ ତାଙ୍କୁ ଭାରତ ହତ୍ୟା କରିଥିବା ସ‌େ କହିଥିଲେ।

ସମ୍ପ୍ରତି ବିଶ୍ବର ୮ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ସେମାନଙ୍କ ମଧ୍ୟରେ ବ୍ରିଟେନ୍, ଡେନମାର୍କ, ଇଷ୍ଟୋନିଆ, ଫିନଲ୍ୟାଣ୍ଡ୍, ଲୁକ୍ସେମବର୍ଗ, ମାଲଡୋଭା, ପେରୁ ଏବଂ ଅୟାରଲ୍ୟାଣ୍ଡ ରହିଛନ୍ତି।

ସମ୍ବନ୍ଧିତ ଖବର