ଗୁଜରାଟରେ କଂଗ୍ରେସର ନୂଆ ରଣନୀତି

ହାର୍ଦ୍ଦିକ ସମେତ ସମସ୍ତ ବିଜେପି ବିରୋଧୀଙ୍କୁ ମେଣ୍ଟ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ନିର୍ବାଚନୀ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ବିଜେପି ବିରୋଧରେ ମିଳିତ ଭାବେ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମେତ ଅନ୍ୟ ଯୁବ ନେତାଙ୍କୁ ନିମନ୍ତ୍ରଣ ଦେଇଛି। ବିଜେପି ବିରୋଧରେ ଯୁବ ନେତାମାନଙ୍କୁ ଏକଜୁଟ କରି କଂଗ୍ରେସ ଏହାର ନେତୃତ୍ୱ ନେବ ଏବଂ ବିଜୟ ହାସଲ କରିବ ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି। ହାର୍ଦ୍ଦିକ ପଟେଲ ଟ୍ଵିଟ୍‌ କରି କହିଛନ୍ତି ଯେ ସେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ଅଧିକାର ଓ ନ୍ୟାୟ ପାଇଁ ସଂଗ୍ରାମ କରିବେ। ବିଜେପିର ଅହଙ୍କାର ବିରୋଧରେ ସମସ୍ତେ ଏକଜୁଟ ହେବାକୁ ସେ ଆହ୍ଵାନ ଦେଇଥିବାରୁ କଂଗ୍ରେସ ସହ ହାତ ମିଳାଇବା ସ୍ପଷ୍ଟ ହୋଇଯାଇଛି। ପଟିଦାର ଆନ୍ଦୋଳନର ପ୍ରମୁଖ ନେତା ହାର୍ଦ୍ଦିକଙ୍କ ସମର୍ଥନ ଗୁଜରାଟରେ ବିଜେପିର ଗଣିତକୁ ଓଲଟପାଲଟ କରିଦେବ ବୋଲି କେତେକ ମହଲ ମତ ଦେଇଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି-କଂଗ୍ରେସର ନିର୍ବାଚନ ନୁହେଁ ଏବଂ ୬ କୋଟି ଜନସାଧାରଣଙ୍କ ନିର୍ବାଚନ ବୋଲି ହାର୍ଦ୍ଦିକ କହିଛନ୍ତି। ଗୁଜରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭରତ ସିଂହ ସୋଲଙ୍କି ବିଜେପି ବିରୋଧୀ ନେତାଙ୍କୁ ମେଣ୍ଟ ପାଇଁ ନିମନ୍ତ୍ରଣ ଦେଇଥିବା ବେଳେ ଏଥିରୁ ଜେଡିୟୁ ମଧ୍ୟ ବାଦ ପଡ଼ିନାହିଁ। ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜେଡିୟୁ ନେତା ଛୋଟୁ ଭାଇ ବାସବା ଦଳ ବିରୋଧରେ ଯାଇ କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲଙ୍କୁ ଭୋଟ୍‌ ଦେଇଥିବାରୁ ସେ ଏଥର କଂଗ୍ରେସ ଶିବିରରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ଏହା ବ୍ୟତୀତ ଏସ୍‌୍‌ସି-ଏସ୍‌୍‌ଟି ଏକତା ମଂଚର ନେତା ଅଳ୍ପେଶ ଠାକୁର ଏବଂ ଦଳିତ ନେତା ଜିଗ୍ନେଶ ମେଓ୍ଵାନିଙ୍କୁ ମଧ୍ୟ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି। ଅଳ୍ପେଶ ଠାକୁର ଆଗାମୀ ୨୩ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ ବୋଲି ଜଣାପଡ଼ିଛି। କଂଗ୍ରେସର ପରିବର୍ତ୍ତିତ ରଣନୀତିକୁ ଦେଖି ରାଜ୍ୟ ବିଜେପି ଏହାର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଗୁଜରାଟ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗୁଜରାଟ ଗସ୍ତ ଥିବା ବେଳେ ଏଥିରେ ଅନେକ ଉଦ୍‌୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସାମିଲ ରହିଛି। ଗୁଜରାଟ ନିର୍ବାଚନର ପ୍ରଭାବ ଜାତୀୟ ରାଜନୀତି ଏବଂ ୨୦୧୯ ଲୋକସଭା ନିର୍ବାଚନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି କୁହାଯାଉଛି। ବିଜେପିର ଗୁଜରାଟ ମଡେଲକୁ କଂଗ୍ରେସ କଠୋର ସମାଲୋଚନା ଜାରି ରଖିଥିବା ବେଳେ ବିଜେପି କଂଗ୍ରେସ ଶାସନ ସମୟର ବିଫଳତା ଓ ଦୁର୍ନୀତିକୁ ଅସ୍ତ୍ର କରିଛି।

ସମ୍ବନ୍ଧିତ ଖବର