ଗାନ୍ଧି ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର, ଅମିତ ଶାହଙ୍କ ବାସଭବନ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି , ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ହେବ। ଗାନ୍ଧି ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାାହାର କରିବାପାଇଁ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଗାନ୍ଧି ପରିବାରର ସମସ୍ତ ସଦସ୍ୟଙ୍କୁ ଏଣିକି ସିଆରପିଏଫ୍‌ର ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିଁ ଏସ୍‌ପିଜି ସୁରକ୍ଷା ମିଳିବ। ଗାନ୍ଧି ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ସେମାନଙ୍କୁ ଏ ବିଷୟ‌ରେ ପୂର୍ବରୁ ଅବଗତ କରାଯାଇନଥିଲା। ଗଣମାଧ୍ୟମରୁ ହିଁ ସେମାନେ ଏ ସମ୍ପର୍କରେ ଅବଗତ ହୋଇଛନ୍ତି। ନିକଟରେ ପରିବାରର ସୁରକ୍ଷା ସ୍ଥିତି ସମୀକ୍ଷା କରିବାପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ କଂଗ୍ରେସ ଜୋର୍‌ଦାର ବିରୋଧ କରିଛି ଏବଂ ଶତାଧିକ କଂଗ୍ରେସ କର୍ମୀ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଲ୍ଲୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ସରକାରଙ୍କର ଏହି ନିଷ୍ପତ୍ତି ଏକ ଆରଏସ୍‌ଏସ୍‌ ଏଜେଣ୍ଡା। ଗାନ୍ଧି ପରିବାର ପ୍ରତି ଥିବା ବିପଦକୁ ସରକାର ଜାଣିଶୁଣି ଅଣଦେଖା କରୁଥିବା ଅଭି‌ଯୋଗ କରି ବରିଷ୍ଠ କଂଗ୍ରେସ ନେତା ନାନା ପାଟୋଲ୍‌ କହିଛନ୍ତି, ଦଳ ପକ୍ଷରୁ କୌଣସି ପ୍ରକାର ଅଘଟଣ ଘଟିବାକୁ ଦିଆଯିବ ନାହିଁ। ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଅହମଦ ପଟେଲ୍‌ କହିଛନ୍ତି, ରାଜ‌ନେତାଙ୍କୁ ଦିଆଯାଉଥିବା ସୁରକ୍ଷାର ରାଜନୀତିକରଣ କରାନଯାଉ।

ସମ୍ବନ୍ଧିତ ଖବର