୩ ଦିନରେ ଘ୍ରାଣଶକ୍ତି ହରାଉଛନ୍ତି କରୋନା ପୀଡ଼ିତ

ସିନ୍‌ସିନାଟି(ଓହିଓ, ଆମେରିକା): ମହାମାରୀ କୋଭିଡ୍–୧୯ର କାରଣ ସାଜିଥିବା କରୋନା ଭୂତାଣୁ ସାର୍ସ–କୋଭ୍–୨ ଦ୍ବାରା ସଂକ୍ରମିତ ହେଉଥିବା ପୀଡ଼ିତମାନେ ସଂକ୍ରମଣର ତୃତୀୟ ଦିବସ ସୁଦ୍ଧା ନିଜର ଘ୍ରାଣଶକ୍ତି ହରାଇ ବସିଥାନ୍ତି। ଏପରିକି ପୀଡ଼ିତମାନଙ୍କ ଭିତରୁ ସଂଖ୍ୟାଧିକ ସେମାନଙ୍କର ସ୍ବାଦଶକ୍ତି ମଧ୍ୟ ହରାଇଥାନ୍ତି ବୋଲି ଆମେରିକାର ଓହିଓ ପ୍ରଦେଶ ଅନ୍ତର୍ଗତ ସିନ୍‌ସିନାଟି ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସ୍ବିଜରଲାଣ୍ତର ଆରାରୁ ସ୍ଥିତ କାଣ୍ଟାନ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୦୩ ଜଣ କୋଭିଡ୍–୧୯ ରୋଗୀଙ୍କଠାରେ ଦୀର୍ଘ ୬ ସପ୍ତାହ ଧରି ଦେଖାଦେଇଥିବା ବିଭିନ୍ନ ପ୍ରକାର ଇନ୍ଦ୍ରିୟଗତ ପରିବର୍ତ୍ତନକୁ ଭିତ୍ତି କରି ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇପାରିଛନ୍ତି।

ଏହି ରୋଗୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ଶାରୀରିକ ଲକ୍ଷଣ ଓ ଅନ୍ୟାନ୍ୟ ଗୁଣ ସମ୍ପର୍କରେ ଟେଲିଫୋନ୍ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏପରି ପରିବର୍ତ୍ତନ ସମ୍ପର୍କରେ ଜଣାପଡ଼ିଛି। ଅତି କମ୍‌‌‌ରେ ୬୧ ପ୍ରତିଶତ ରୋଗୀଙ୍କର ଘ୍ରାଣଶକ୍ତିରେ ହ୍ରାସ ଅଥବା ସେମାନେ ଏହି ଗୁଣ ସମ୍ପୂର୍ଣ୍ଣ ହରାଇ ବସିଥିଲେ ବୋଲି ପ୍ରମୁଖ ଗବେଷକ ତଥା ମୁଖମଣ୍ତଳ ଓ ନାସା ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଅହମଦ ସେଦାଘଟ କହିଛନ୍ତି। ମୁଖ୍ୟତଃ ୩ରୁ ୪ ଦିନ ଭିତରେ ସଂପୃକ୍ତ ରୋଗୀମାନଙ୍କ ଠାରେ ଏପରି ପରିବର୍ତ୍ତନ ଘଟୁଥିବା ସେ କହିଛନ୍ତି। ଏପରିକି ଉକ୍ତ ରୋଗୀଙ୍କ ଠାରେ ଦେଖାଦେଇଥିବା ଅନ୍ୟାନ୍ୟ ଲକ୍ଷଣ ସହ ଏହି ଇନ୍ଦ୍ରିୟଗତ ପରିବର୍ତ୍ତନର ଉଲ୍ଲେଖନୀୟ ସାମଞ୍ଜସ୍ୟ ରହିଥିବା କୁହାଯାଉଛି। ରୋଗୀଟି ଯେତେବେଳେ ଅଧିକ ଘ୍ରାଣଶକ୍ତି ହରାଇ ବସୁଛି ସେତେବେଳକୁ ତା’ଠାରେ ଦ୍ରୁତ ଶ୍ବାସକ୍ରିୟା ପରିଲକ୍ଷିତ ହେବା ସହ ଅଧିକ କାଶ ଓ ଜ୍ବର ଦ୍ବାରା ସେ ପୀଡ଼ିତ ଥିବା ଜଣାଯାଇଛି। ଅବଶ୍ୟ ଜଣେ ଘ୍ରାଣଶକ୍ତି ହରାଇ ବସିଲେ ଯେ ସେ ମରିଯିବ, ସେମିତି କିଛି ମାନେ ନାହିଁ। ତେବେ ଜଣେ ସନ୍ଦିଗ୍ଧ ଠାରେ ଏ ପ୍ରକାର ବିଶେଷ ପରିବର୍ତ୍ତନକୁ ଲକ୍ଷ୍ୟ କରି ସେ କୋଭିଡ୍–୧୯ର ତଥାକଥିତ ଲକ୍ଷଣ ପ୍ରଦର୍ଶନ କରୁନଥିଲେ ବି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ନା ନାହିଁ ତାହା ଜଣାପଡ଼ିବ ବୋଲି ଆଶା କରାଯାଉଛି।

ଅପରପକ୍ଷେ, ଗବେଷଣାରେ ସାମିଲ ଥିବା ରୋଗୀଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କର ନାକ ଚୁଣ୍ଟି ହୋଇ ଯାଇଥିବା ବେଳେ ୩୫ ପ୍ରତିଶତଙ୍କର ନାକରୁ ଅନବରତ ପାଣି ବାହାରୁଥିବା ଜଣାପଡି଼ଥିଲା। ପୂର୍ବରୁ ନାକର ଏହି ସବୁ ଲକ୍ଷଣକୁ ଆଲର୍ଜି ବୋଲି ଧରିନିଆଯାଉଥିଲା। ମାତ୍ର ଏବେ ତାହାକୁ କୋଭଡ୍‌-୧୯ର ଲକ୍ଷଣ ସହ ଯୋଡ଼ାଯାଉଛି। ତେଣୁ ଏପରି ଚୁଣ୍ଟା ନାକ କି ପାଣିବୁହା ନାକ ସହ ସର୍ବସାଧାରଣରେ ବୁଲୁଥିବା ସନ୍ଦିଗ୍ଧଙ୍କୁ ସାଧାରଣ ଥଣ୍ତା, ସର୍ଦ୍ଦି ହୋଇଥାଇପାରେ କିମ୍ବା ତାହା ସେମାନଙ୍କର ଆଲର୍ଜି ବୋଲି ନଭାବି ଏହାକୁ ଗୁରୁତର ସହ ନେବାକୁ ପଡ଼ିବ ବୋଲି ପ୍ରଫେସର ସେଦାଘଟ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର