କରୋନା ଭାଇରସ୍‌: ଅନ୍‌ଲାଇନ୍‌ରେ ଚାଲିଛି ପାଠପଢ଼ା

ଜାପାନ୍‌ ଜାହାଜରେ ୨୦ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ

ବେଜିଂ: ଚୀନ୍‌ରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। କରୋନା ଭାଇରସ୍ ଯୋଗୁଁ ୧୮ଟି ସହର ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଏବେ ଅନଲାଇନ୍‌ରେ କ୍ଲାସ୍‌ କରୁଛନ୍ତି। ପିଲାମାନେ ଅନଲାଇନ୍‌ରେ ଦିନକୁ ପ୍ରାୟ ୮-୯ଟି କ୍ଲାସ୍‌ କରୁଥିବା ଚୀନ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭାଇରସ୍‌ ଯୋଗୁଁ ଆଜି ସୁଦ୍ଧା ୫୭୦ ଜଣଙ୍କ ମୃତ୍ୟୁ ହେଲାଣି ଏବଂ ୨୪ ଘଣ୍ଟା ମଧ୍ୟରେ ଏହା ୬୦୦ ଟପିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ୨୮,୦୧୮ ଜଣ ଭାଇରସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଶହରୁ ଅଧିକଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ରୋଗ ସହ କେମିତି ମୁକାବିଲା କରାଯିବ ତାହା ଏବେ ଚୀନ୍‌ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ଚୀନ୍‌କୁ ଏବେ ବିଶ୍ବର ପ୍ରମୁଖ ରାଷ୍ଟ୍ରନେତାମାନେ ସହଯୋଗର ହାତ ବଢ଼ାଇଥିଲେ ମଧ୍ୟ ଚିକିତ୍ସା ପାଇଁ କୌଣସି ଔଷଧ କି ଇଂଜେକସନ୍‌ ବାହାରି ନଥିବାରୁ ଏହା ଚିନ୍ତା ବଢ଼ାଇଛି। ଚୀନ୍‌ରେ ୧୯ ଜଣ ବିଦେଶୀ ନାଗରିକ ଭାଇରସ୍‌ ସଂକ୍ରମିତ ହୋଇଛନ୍ତି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଭାଇରସ୍‌ ରୋକିବା ଏବଂ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଥିବା ରାଷ୍ଟ୍ରମାନଙ୍କୁ ସୁରକ୍ଷା ଦେବାପାଇଁ ୬୭୫ ନିୟୁତ ଡଲାର ଆବଶ୍ୟକ। ଏଥିପାଇଁ ସମସ୍ତ ରାଷ୍ଟ୍ର ସହଯୋଗର ହାତ ବଢ଼ାଇବାକୁ ଡବ୍ଲୁଏଚ୍‌ଓ ନିବେଦନ କରିଛି।

ଜାପାନ୍‌ ଜାହାଜରେ ୨୦ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ
ଟୋକିଓ: ଜାପାନ୍‌ର ‌ୟୋକହାମାରେ ଏକ ଜାହାଜରେ ୩,୭୦୦ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଏଥିରୁ ୨୦ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଜାହାଜଟି ହଂକଂରୁ ଆସିଥିଲା ଏବଂ ଓକିନାୱାରେ ଏହା ଶନିବାର ପହଞ୍ଚିବାର ଥିଲା। ଜାପାନ୍‌ ଏହି ଜାହାଜକୁ ରାସ୍ତାରେ ଅଟକାଇ ଭଲଭାବେ ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲା। ଜାହାଜରେ ଅଧିକାଂଶ ଜାପାନ ନାଗରିକ ଅଛନ୍ତି। ତେବେ ଜାହାଜରେ ୨୦ ଜଣ ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହେବାରୁ ଆତଙ୍କ ଖେଳିଯାଇଛି। ଜାପାନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର