୮୨ ରାଷ୍ଟ୍ରରେ କରୋନା : ୩୨୨୦ ମୃତ, ବିଶ୍ବବ୍ୟାପୀ ୯୪,୨୪୦ ଜଣ ଭାଇରସ୍‌ ଆକ୍ରାନ୍ତ

ଦକ୍ଷିଣ କୋରିଆ, ଇଟାଲି, ଇରାନ୍‌ ଏବଂ ଜାପାନ୍‌ରେ ଦ୍ରୁତ ଗତିରେ ମାଡ଼ୁଛି
ଇରାନ୍‌ରେ ୯୨, ଇଟାଲିରେ ୭୯ ଜଣଙ୍କ ମୃତ୍ୟୁ
ଆମେରିକାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଲୀ : ୮୨ଟି ଦେଶକୁ ଏବେ କରୋନା ଭାଇରସ୍‌ ବ୍ୟାପିଛି। ଭାରତରେ ମାତ୍ର ଗୋଟିଏ ଦିନରେ ୨୫ଟି ମାମଲା ସ୍ପଷ୍ଟ ହୋଇଛି। ବିଶ୍ବବ୍ୟାପୀ ୯୪,୨୪୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୩୨୨୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ସମସ୍ତେ ୱାସିଂଟନ୍‌ର ବୋଲି ଜଣାପଡ଼ିଛି। ଆମେରିକାରେ ୧୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ତେବେ ବୈଶ୍ବିକ ସ୍ତରରେ କରୋନା ଭାଇରସ୍‌ ଦକ୍ଷିଣ କୋରିଆ, ଇଟାଲି, ଇରାନ୍‌ ଏବଂ ଜାପାନ୍‌ରେ ଦ୍ରୁତ ଗତିରେ ବ୍ୟାପୁଛି। ଜାପାନର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ନାଗରିକଙ୍କ ଚଳପ୍ରଚଳ ଉପରେ ମଧ୍ୟ କେତେକ କଟକଣା ଲଗାଯାଇଛି। ଦକ୍ଷିଣ କୋରିଆରେ ଭାଇରସ୍‌ ‌ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫,୫୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇଟାଲିରେ ୭୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଇରାନ୍‌ରେ ମୃତ୍ୟୁସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ସଂକ୍ରମଣ ରୋକିବାପାଇଁ ବ୍ରିଟେନ୍‌ରେ ଭିଡିଓ ଲିଙ୍କ୍‌ ଦ୍ବାରା ରୋଗୀ ଦେଖିବାପାଇଁ କୁହାଯାଇଛି। ଇରାକ୍‌ରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷେ ଇରାନ୍‌ରେ ୩,୧୪୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇରାନ୍‌ର ପ୍ରାୟ ୩୧ଟି ପ୍ରଦେଶକୁ ଭାଇରସ୍‌ ବ୍ୟାପି ସାରିଛି। ଇରାନ୍‌ ସରକାର ଦେଶର ୫୪ ହଜାର କଏଦୀଙ୍କୁ ଅସ୍ଥାୟୀ ଭାବେ ଖଲାସ କରିଛନ୍ତି। ଜର୍ମାନୀରେ ସମୁଦାୟ ୨୪୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ତେବେ ବିଶ୍ବସ୍ତରରେ ଚିକିତ୍ସା ଉପକରଣର ଅଭାବ ଦେଖାଦେବା ନେଇ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସତର୍କ କରାଯାଇଛି। ଇଟାଲିରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ମଧ୍ୟ ଅସ୍ଥାୟୀ କଟକଣା ଲାଗୁ ହୋଇଛି। ଅନ୍ୟପକ୍ଷରେ ଚୀନ୍‌ରେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ସରକାର ଦାବି କରୁଥିଲେ ମଧ୍ୟ ଲକ୍ଷାଧିକ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ନେଇ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ସରକାର କରୋନା ଆକ୍ରାନ୍ତଙ୍କ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର