ଆକ୍ରାନ୍ତ ଠାରୁ ମାତ୍ର ୨ ମିଟର ଦୂରତା ପର୍ଯ୍ୟନ୍ତ ଡେଇଁପାରେ କରୋନା ଭାଇରସ୍ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ଭାଇରସ  ସଂକ୍ରମଣକୁ ନେଇ ଏବେ ବିଭିନ୍ନ ବିଶେଷଜ୍ଞ  ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ଦେଶର ସବୁଠାରୁ ବଡ଼ ଡାକ୍ତରଖାନା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ନିର୍ଦ୍ଦେଶକ ଲୋକଙ୍କ ଅନେକ ଦ୍ବନ୍ଦ୍ବ ଦୂର କରିଛନ୍ତି। ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆ କହିଛନ୍ତି କି, ଜଣେ ସୁସ୍ଥ ଲୋକକୁ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। ଲୋକ ଏବେ ସଂକ୍ରମଣ ଡ଼ରରେ ମାସ୍କ ପିନ୍ଧୁଛନ୍ତି ସତ କିନ୍ତୁ ଏହା ଜରୁରୀ ନୁହେଁ। କରୋନା ଏକ ହ୍ୟୁମାନ୍ ଭାଇରସ୍ ଅଟେ। ମାଛ-ମାଂସ ଖାଇବା ଦ୍ବାରା କରୋନା ଭାଇରସ୍ ହୋଇ ନଥାଏ। ଲୋକେ ଏବେ ସଂକ୍ରମଣ ଭୟରେ ଆମିଷ ଖାଇବା ବନ୍ଦ କରୁଛନ୍ତି। କିନ୍ତୁ ଆପଣମାନେ ଅଚିନ୍ତାରେ ଆମିଷ ଖାଇ ପାରିବେ।

ଏହା ସହ ସେ କହିଥିଲେ, ଯଦି ଆପଣଙ୍କ ଆଖପାଖରେ କେହି କରୋନା ଭାଇରସର ଶିକାର ହୋଇଛନ୍ତି, ତେବେ ଆଦୌ ଡ଼ରନ୍ତୁ ନାହିଁ। କାରଣ କରୋନା ହେଉଛି ଏକ ଡ୍ରପଲେଟ୍(ବୁନ୍ଦା) ସଂକ୍ରମଣ, ଯାହା ମାତ୍ର ୨ମିଟର ପର୍ଯ୍ୟନ୍ତ ହିଁ ଯାଇପାରେ। ତେଣୁ କରି ଯଦି ଆପଣ କରୋନା ରୋଗୀଙ୍କଠାରୁ ୨ମିଟରରୁ ଅଧିକ ଦୂରରେ ରହିଛନ୍ତି, ଆପଣ ସଂକ୍ରମଣର ଶିକାର ହେବେ ନାହିଁ। ଯଦି କୌଣସି କରୋନା ରୋଗୀ କାଶୁଛନ୍ତି, ତେବେ ଭାଇରସ୍ ଟି ୨ମିଟର ମଧ୍ୟରେ ବାୟୁୁମଣ୍ଡଳରେ ଘୁରି ବୁଲିଥାଏ। ଏହି ସମୟରେ ଯଦି କେହି ତାହା ସଂଶ୍ପର୍ଷରେ ଆସେ ତେବେ ସେ ସଂକ୍ରମିତ ହୋଇଥାଏ ବୋଲି ସେ କହିଛନ୍ତି। ଏହା ସହ  ଆପଣ ସଂପୂର୍ଣ୍ଣ ସୁସ୍ଥ ଥିଲେ ମାସ୍କ ବ୍ୟବହାର କରନ୍ତୁ ନାହିଁ। କାରଣ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି ବୋଲି ସେ ଲୋକମାନଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର