ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ‘ଟ୍ରମ୍ପ୍ ମୃତ୍ୟୁ ଘଣ୍ଟା’, ବଖାଣୁଛି କୋଭିଡ୍ ଲୀଳା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଦୂରଦର୍ଶିତା ଯୋଗୁଁ ଆମେରିକା ହିଁ ସମ୍ପ୍ରତି ବିଶ୍ବ‌ରେ ସବୁଠୁ ଅଧିକ ମହାମାରୀ କୋଭିଡ୍–୧୯ ଜନିତ କ୍ଷତିର ସାମନା କରୁଛି। ତେବେ ଟ୍ରମ୍ପଙ୍କ ଏପରି ଅସାବଧାନତାକୁ ଦର୍ଶାଇବା ଲାଗି ପ୍ରଖ୍ୟାତ ଚିତ୍ର ନିର୍ମାତା ୟୁଗେନ୍ ଜେରେକି ‘ଟ୍ରମ୍ପ୍ ମୃତ୍ୟୁ ଘଣ୍ଟା’ ନାମକ ଏକ ଚଳନ୍ତି ସୂଚନା ଫଳକ ନିର୍ମାଣ କରି ନ୍ୟୁୟର୍କ ସ୍ଥିତ ଟାଇମ୍ସସ୍କୋୟାର୍ ଛାତର ବିଜ୍ଞାପନ ସ୍ତମ୍ଭରେ ଖଞ୍ଜିଥିବା ଚର୍ଚ୍ଚାର ବିଷୟ ହୋଇଛି। କୋଭିଡ୍–୧୯ରେ ଆମେରିକାର ମୋଟ ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରୁ ଟ୍ରମ୍ପଙ୍କ କୁପରିଚାଳନା କେତେ ଦାୟୀ ତାହା ସମୟାନୁସାରେ ଦର୍ଶକଙ୍କୁ ସୂଚନା ଦେଉଛି। ମୋଟ କୋଭିଡ୍ ମୃତକଙ୍କ ମଧ୍ୟରୁ କେତେ ସଂଖ୍ୟକ କେବଳ ରାଷ୍ଟ୍ରପତିଙ୍କ ଯୋଗୁଁ ଘଟିଲା ତାହା ପରୋକ୍ଷରେ ଦର୍ଶାଉଛି।

Image Courtesy of CNBC

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ କୋଭିଡ୍‌ରେ ପାଖାପାଖି ୧୪ ଲକ୍ଷ ଆମେରିକାବାସୀ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୮୨ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇସାରିଛି। ତେବେ ସୋମବାର ଏହି ‘ଟ୍ରମ୍ପ୍ ମୃତ୍ୟୁ ଘଣ୍ଟା’ର ସୂଚନାରୁ ୪୮ ହଜାରରୁ ଅଧିକ ନାଗରିକଙ୍କ ମୃତ୍ୟୁ କେବଳ ଟ୍ରମ୍ପଙ୍କ ଯୋଗୁଁ ହୋଇଥିବା ଇଙ୍ଗିତ କରିଛି। ତେବେ ଟ୍ରମ୍ପ୍ ପ୍ରଶାସନ ଠିକ୍‌ ସମୟରେ ଆବଶ୍ୟକ ପଦକ୍ଷେପ ନେଇଥିଲେ ଅତି କମ୍‌ରେ ଆମେରିକାରେ ୬୦ ପ୍ରତିଶତ କୋଭିଡ୍–୧୯ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା ବୋଲି ଜେରେକିଙ୍କ ଏହି ଅଭିନବ ବିଜ୍ଞାପନ ଘଣ୍ଟା ଅନୁମାନ ଲଗାଇ ଏପରି ସୂଚନା ପ୍ରଦାନ କରିଛି। ରାଷ୍ଟ୍ରପତି ଟ୍ରମ୍ପ୍ କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ବ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ଆଦିକୁ କଡ଼ାକଡ଼ି ଭାବେ ଗତ ମାର୍ଚ୍ଚ ୧୬ରେ ଲାଗୁ କରିବା ପରିବର୍ତ୍ତେ ଆଉ ସପ୍ତାହକ ଆଗରୁ ମାର୍ଚ୍ଚ ୯ରୁ ଲାଗୁ କରିଥିଲେ ପରିସ୍ଥିତିରେ ଆଶାତୀତ ସୁଧାର ଆସିଥାନ୍ତା ବୋଲି ‘ଟ୍ରମ୍ପ୍ ମୃତ୍ୟୁ ଘଣ୍ଟା’ର ପ୍ରସ୍ତୁତକର୍ତ୍ତା ଜେରେକି ନିଜ ବ୍ଲଗ୍‌ରେ କହିଛନ୍ତି।

ସମ୍ବନ୍ଧିତ ଖବର