ନିର୍ଭୟା ମାମଲା: ଫାଶୀ ଆଡ଼କୁ ଆଉ ପାଦେ, ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ

ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କଲା ମୁକେଶ

ନୂଆଦିଲ୍ଲୀ: ୨୦୧୨ ମସିହା ଦିଲ୍ଲୀରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଜାନୁଆରି ୨୨ରେ ଫାଶୀ ହେବ। ଅପରାଧୀଙ୍କ ନିକଟରେ ଥିବା ଶେଷ ଆଇନଗତ ପ୍ରକ୍ରିୟା ଆଜି ଶେଷ ହୋଇଯାଇଛି। ଏହି ମାମଲାର ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍‌ ପିଟିସନ୍‌କୁ ଆଜି ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବାପରେ ଦୋ‌ଷୀ ମୁକେଶ ସିଂହ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଗତ ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ। ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ସକାଳ ୭ଟା ବେଳେ ତିହାର ଜେଲ୍‌ରେ ଫାଶୀ ଦିଆଯିବ। ଏଥିପାଇଁ ଜେଲ୍‌ ପକ୍ଷରୁ ପ୍ରସ୍ତୁତି ଚାଲିଛି। କିନ୍ତୁ ପଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିବା ପରେ ୪ ଦୋ‌ଷୀ ବିନୟ, ମୁକେଶ, ପୱନ ଏବଂ ଅକ୍ଷୟଙ୍କ ମଧ୍ୟରୁ ୨ ଜଣ ତଥା ବିନୟ ଏବଂ ମୁକେଶ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲେ। ଜ‌ଷ୍ଟିସ ଏନ୍‌ ଭି ରମଣା, ଅରୁଣ ମିଶ୍ର, ଆର ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଫାଶୀଦଣ୍ଡ କ୍ଷେତ୍ରରେ ଜଣେ ଦୋଷୀର ଶେଷ ନ୍ୟାୟିକ ସାହାରା ହେଉଛି କ୍ୟୁରେଟିଭ୍‌ ପିଟିସନ୍। କିନ୍ତୁ କ୍ୟୁରେଟିଭ୍‌ ପିଟିସନ୍‌ ବାଦ୍‌ ମଧ୍ୟ ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀ ପାଖରେ ଆଉ ଏକ ଶେଷ ସାହାରା ରହିଛି। ଏହା ହେଉଛି ରାଜକ୍ଷମା। ଦୋଷୀ ଶେଷରେ ରାଷ୍ଟ୍ରପତିଙ୍କ ନିକଟ‌‌ରେ ରାଜକ୍ଷମା ଆବେଦନ କରିପାରିବ। ଜଣେ ଦୋଷୀର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ତେବେ ଯଦି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଦୋଷୀ ବିନୟ ଏବଂ ମୁକେଶ ବାଦ୍ ଅନ୍ୟ ୨ ଜଣ ଦୋଷୀ ପୱନ ଏବଂ ଅକ୍ଷୟଙ୍କୁ ମଧ୍ୟ ଆସନ୍ତା ୨୨ ସକାଳ ୭ଟାରେ ଫାଶୀ ହେବ। ୨୦୧୨ ଡିସେମ୍ବର ୧୬ ତାରିଖର ନିର୍ଭୟା‌ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ମାମଲାରେ ୬ ଜଣ ଦୋଷୀସାବ୍ୟସ୍ତ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଜେଲ୍‌ରେ ପୂର୍ବରୁ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ନାବାଳକ। ସେ ୩ ବର୍ଷ ବାଳ ସୁଧାର ଗୃହରେ ରହି ମୁକୁଳି ସାରିଛି।

ସମ୍ବନ୍ଧିତ ଖବର