ସାମୁଦ୍ରିକ ବାତ୍ୟା ‘ଜୱାଦ୍‌’: ୩ଟି ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା; ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ‘ଅ‌ରେଞ୍ଜ୍‌ ଆଲର୍ଟ’ ଜାରି

ନୂଆଦିଲ୍ଲୀ: ଗତ ରାତି ୨.୩୦ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଜୱାଦ’ (ଜୋୱାଦ୍‌) ଦକ୍ଷିଣପୂର୍ବ ବିଶାଖାପାଟଣାରୁ ୨୫୦ କିଲୋମିଟର୍‌, ଗୋପାଳପୁର ଦକ୍ଷିଣରୁ ୩୬୦ କିଲୋମିଟର୍‌, ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବକୁ ୪୩୦ କିଲୋମିଟର୍‌ ଏବଂ  ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୫୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ରବିବାର ମଧ୍ୟାହ୍ନ ବେଳକୁ ଏହା ଓଡ଼ିଶାର ପୁରୀ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପରେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇବ।

ଆନ୍ଧ୍ରପ୍ରଦେଶର ଉତ୍ତର ଏବଂ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହାର ଅଧିକାଂଶ ପ୍ରଭାବ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ତେଣୁ, ଉପରୋକ୍ତ ଅଞ୍ଚଳରେ ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରାଯାଇଛି।

ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରୁ ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଏବଂ ତ୍ରିପୁରାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର