ଦିଲ୍ଲୀରେ ୩୧ ପର୍ଯ୍ୟନ୍ତ ସିନେମା ହଲ୍‌, ସ୍କୁଲ୍‌, କଲେଜ ବନ୍ଦ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଡବ୍ଲ୍ୟୁଏଚ୍‌ଓ ଗତକାଲି କରୋନା ଭାଇରସ୍‌କୁ ମହାମାରୀ ଘୋଷଣା କରିଥିବା ବେଳେ ଆଜି ଦିଲ୍ଲୀ ସରକାର ମଧ୍ୟ କରୋନା ଭାଇରସ୍‌କୁ ମହାମାରୀ ଘୋଷଣା କରିଛନ୍ତି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଥିବାରୁ କଟକଣା ବଢ଼ାଇ ଦିଆଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ୍‌, କଲେଜ ଓ ସିନେମା ହଲ୍‌ ବନ୍ଦ ରହିବ। ଦିଲ୍ଲୀ ସ୍ଥିତି ସମ୍ପର୍କରେ ସୂଚନା ‌ ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଭାଇରସ୍‌ ମୁକାବିଲା ପାଇଁ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଉଛି। ସହରର ସମସ୍ତ ସାର୍ବଜନୀନ ସ୍ଥାନଗୁଡ଼ିକୁ ସଂକ୍ରମଣମୁକ୍ତ କରାଯିବ। ସରକାରୀ ଓ ଘରୋଇ ଅଫିସ୍‌ ସହ ସପିଂ ମଲ୍‌ଗୁଡ଼ିକୁ ବି ସଂକ୍ରମଣମୁକ୍ତ କରିବା ବାଧ୍ୟତାମୂଳକ ବୋଲି କେଜ୍ରିୱାଲ୍‌ କହିଛନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ହସ୍ପିଟାଲ୍‌ରେ ୫୦୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା କରାଯିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଆଜି କେଜ୍ରିୱାଲ ଭେଟି ଏ ବାବଦ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର