ଏନ୍‌ଜିଟି ଅନୁମତି ପରେ ଦିଲ୍ଲୀ ସରକାରଙ୍କ ୟୁ ଟର୍ଣ୍ଣ : ଲାଗୁ କରିବେ ନାହିଁ ‘ଯୁଗ୍ମ-ଅଯୁଗ୍ମ’ ବ୍ୟବସ୍ଥା

ନୂଆଦିଲ୍ଲୀ: ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌) ଶନିବାର ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରଦୂଷଣ ହ୍ରାସ ଉଦ୍ଦେଶ୍ୟରେ ନିଆଯିବାକୁ ଥିବା ‘ଯୁଗ୍ମ-ଅଯୁଗ୍ମ’ ଗାଡ଼ି ଚଳାଚଳ ବ୍ୟବସ୍ଥାକୁ ଅନୁମତି ଦେବାର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ଏହା ଲାଗୁ କରିବା ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ଶନିବାର ଅପରାହ୍ଣରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍‌ ଘୋଷଣା କରିଛନ୍ତି କି ଆସନ୍ତା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା‘ଯୁଗ୍ମ-ଅଯୁଗ୍ମ’ ଗାଡ଼ି ଚଳାଚଳ ବ୍ୟବସ୍ଥାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ନାହିଁ।

ଉଲ୍ଲେଖଯୋଗ୍ୟ କି ପ୍ରଦୂଷଣ ରୋକିବା ଲାଗି ନଭେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଓ ଏନସିଆର୍‌ରେ ଗୋଟିଏ ଦିନ ଯୁଗ୍ମ ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଗାଡ଼ି ଚାଲିଲେ ତା’ପରଦିନ ଅଯୁଗ୍ମ ନମ୍ବରର ଗାଡ଼ି ଚାଲିବା ନିଷ୍ପତ୍ତି ହୋଇଥିଲା।

ତେବେ ପୂର୍ବରୁ ଏହି ବ୍ୟବସ୍ଥାରେ ମହିଳା ଚାଳକ, ଦୁଇ ଚକିଆ ଯାନ ଓ ସରକାରୀ ଗାଡ଼ିକୁ ମିଳୁଥିବା କୋହଳକୁ ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ପ୍ରତ୍ୟାହାର କରିନେଇଛନ୍ତି । ଏଥିସହ ଏହି ବ୍ୟବସ୍ଥାକୁ ଦିଲ୍ଲୀ ସହ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ରିଜିଅନ୍‌ (ଏନ୍‌ସିଆର୍‌)ରେ ମଧ୍ୟ ଲାଗୁ କରାଯାଇଥିଲା। ଫଳରେ ଗୁରୁଗ୍ରାମ୍‌, ଫରିଦାବାଦ୍‌, ନୋଏଡ଼ା , ଗାଜିଆବାଦ୍‌ ଏବଂ ମୁଜାଫରନଗରରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ପ୍ରଚଳିତ ହେବାର ଯୋଜନା ଥିଲା।

ଗ୍ରିନ୍‌ ଟ୍ରିବୁନାଲ୍‌ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଏଣିକି ବାୟୁ ପ୍ରଦୂଷଣ ସ୍ତର ପିଏମ୍‌-୧୦ ୫୦୦ ଅଙ୍କରେ ପହଞ୍ଚିଲେ ଏବଂ ପିଏମ୍‌ ୨.୫ ୩୦୦ ଅଙ୍କରେ ପହଞ୍ଚିଲେ ତୁରନ୍ତ ‘ଯୁଗ୍ମ-ଅଯୁଗ୍ମ’ବ୍ୟବସ୍ଥା ଲାଗୁ କରାଯିବ।

ସମ୍ବନ୍ଧିତ ଖବର