ଦିଲ୍ଲୀ ହିଂସା ଦୁର୍ଭାଗ୍ୟଜନକ, ଶାହିନ୍‌ ବାଗ୍‌ ଶୁଣାଣି ମାର୍ଚ୍ଚ ୨୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ଦିଲ୍ଳୀରେ ହିଂସା ଯୋଗୁଁ ୨୭ ଜଣଙ୍କ ମୃତ୍ୟୁ ନେଇ ଗଭୀର ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ପୁଲିସକୁ ସଠିକ୍‌ ଭାବେ ଏହାର ଦାୟିତ୍ବ ସମ୍ପାଦନ କରିବା ଅନୁମତି ମିଳୁନଥିବା ନେଇ ସୁପ୍ରିମକୋର୍ଟ ଆଜି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଜଷ୍ଟିସ୍‌ ଏସ୍‌ କେ କୌଲ ଏବଂ କେଏମ୍‌ ଜୋଶେଫ୍‌ଙ୍କ ଖଣ୍ଡପୀଠ ହିଂସା‌ ସଂକ୍ରାନ୍ତରେ କହିଛନ୍ତି, ଯଦି ପୁଲିସ ଠିକ୍ ସମୟରେ ଉକ୍ତ ଘଟଣାରେ ହସ୍ତକ୍ଷେପ କରିଥାନ୍ତା ଏବଂ ସଠିକ୍‌ ସମୟରେ ଘୃଣା ସୃଷ୍ଟିକାରୀ ବୟାନ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତାହାଲେ ଏଭଳି ସ୍ଥିତି ହୁଏତ ଉପୁଜିନଥାନ୍ତା। ଦିଲ୍ଲୀ ହିଂସାକୁ କୋର୍ଟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ଏବଂ ସମସ୍ତ ରାଜନୈକତି ଦଳକୁ ଶାନ୍ତି ରକ୍ଷାପାଇଁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷେ ସୁପ୍ରିମକୋର୍ଟ କହିଛନ୍ତି ଏଭଳି ସ୍ଥିତିରେ ଶାହିନ ବାଗ୍‌ ଆନ୍ଦୋଳନ ସଂକ୍ରାନ୍ତ ଆବେଦନର ଶୁଣାଣି ହୋଇପାରିବ ନାହିଁ। ତେଣୁ କୋର୍ଟ ମାମଲାର ଶୁଣାଣିକୁ ପୁଣି ମ‌ାସେ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମାର୍ଚ୍ଚ ୨୩ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ସଂଜୟ ହେଗଡ଼େ ଏବଂ ସାଧନା ରାମଚନ୍ଦ୍ରନ୍‌ଙ୍କୁ ଶାହିନ ବାଗ୍‌ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ କହିଛନ୍ତି। ତେବେ ଶାହିନ୍‌ ବାଗ୍‌ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିବାରୁ କୋର୍ଟ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକମାନଙ୍କର ଆନ୍ଦୋଳନ କରିବାର ଅଧିକାର ଥିଲେ ମଧ୍ୟ ସେମାନେ ରାସ୍ତା ଅବରୋଧ କରି ଏଭଳି ସମସ୍ୟା ସୃଷ୍ଟି କରିପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର