ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ ନେଇ ବିଚାରବିମର୍ଷ ଆରମ୍ଭ : ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଯୋଗୁ ଦେଶରେ ଲାଗୁ କରାଯାଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିଛି। ଗତ ମଂଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ନୂଆ ରୂପରେଖରେ ଆସିବ ବୋଲି କହିଥିଲେ। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଅବଧି କେତେ ଦିନ ରହିବ ତାହାକୁ ନେଇ ବିଚାରବିମର୍ଷ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଣନୀତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି।

ମିଳିଥିବା ସୂତ୍ର ଅନୁସାରେ, ଅନେକ ବରିଷ୍ଠ ମନ୍ତ୍ରୀ ଦେଶରେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ଲାଗୁ କରାଯିବା ପୂର୍ବରୁ ହଟସ୍ପଟ୍‌ ଅଞ୍ଚଳଗୁଡ଼ିକରେ ହିଁ ଲକ୍‌ଡାଉନ୍‌କୁ ସୀମିତ ରଖିବା ପାଇଁ ମତ ଦେଇଛନ୍ତି। ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଲାଗୁ ନ କରି ହଟସ୍ପଟ୍‌ ଚିହ୍ନଟ ଅଞ୍ଚଳରେ ବିଶେଷ ଗୁରୁତ୍ବ ଓ କଟକଣା ପାଇଁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ରାଜ୍ୟମାନଙ୍କୁ ବିଭିନ୍ନ ରାଜ୍ୟରୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ମନରେଗା ତଥା ସଡ଼କ ନିର୍ମାଣ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ବଢ଼ାଇବା ପାଇଁ ମଧ୍ୟ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି। ଦେଶରେ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ଆରମ୍ଭ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ମାନସମନ୍ଥନ କରୁଥିବାର କୁହାଯାଉଛି। ବୈଠକରେ ଦେଶରେ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ରାଜ୍ୟମାନଙ୍କର ସ୍ଥିତିକୁ ଦେଖି ବସ୍‌ ଓ ଟ୍ୟାକ୍ସି ସେବା ଆରମ୍ଭ କରିବା ପାଇଁ ଅନୁମତି ଦିଆଯିବା ଉପରେ ମତପ୍ରକାଶ ପାଇଥିଲା। ବୈଠକରେ କଟକଣା କମ୍‌ କରି ଲକ୍‌ଡାଉନ୍‌ ଅବଧିକୁ ଅନ୍ତତଃ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କୁହାଯାଇଥିବାର ଜଣାପଡ଼ିଛି।

ଚଳିତ ମାସ ୧୧ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପାଖରୁ ୧୫ ତାରିଖ ସୁଦ୍ଧା ବ୍ଲୁପ୍ରିଣ୍ଟ ପଠାଇବା ପାଇଁ କହିଥିଲେ। ତେଣୁ ଆଗାମୀ ଦିନରେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ ଆଧାରରେ ଗାଇଡଲାଇନ୍‌ ପ୍ରସ୍ତୁତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟମାନଙ୍କର ପ୍ରମୁଖ ଭୂମିକା ରହୁଥିବାରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କିଛି ପ୍ରସଂଗରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଓଡ଼ିଶା ସମେତ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ମୁକାବିଲା ପାଇଁ ରାଜ୍ୟକୁ ଅଧିକ କ୍ଷମତା ଦେବାକୁ ଦାବି କରିସାରିଛନ୍ତି। ସହରାଞ୍ଚଳରେ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇସାରିଥିବାବେଳେ ଲକ୍‌ଡାଉନ୍‌ ନିୟମରେ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯିବାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମ୍ଭବତଃ କେନ୍ଦ୍ର ସରକାର ବିଚାରକୁ ନେଇପାରନ୍ତି ବୋଲି ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଥମେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪, ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୪ରୁ ମେ’ ୩ ଏବଂ ତୃତୀୟରେ ମେ’୩ରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର