ଡାକ୍ତର ମାନିଲେ ନାହିଁ, ମେଡିକାଲ କଲେଜ ଆସି ଆଲୋଚନା କରିବାକୁ ଦାବି
ରୁଦ୍ଧଦ୍ବାର ବୈଠକକୁ ପ୍ରତ୍ୟାଖ୍ୟାନ, କୌଣସି ମନ୍ତ୍ରୀଙ୍କୁ ଭେଟିବେ ନାହିଁ
କୋଲକାତା: ପଶ୍ଚିମବଂଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଚାଲିଥବା ଆନ୍ଦୋଳନ ଆଜି ପଂଚମ ଦିନରେ ଆହୁରି ଜୋର୍ଦାର ହୋଇଛି। ଡାକ୍ତରମାନଙ୍କ ସହ ରୁଦ୍ଧଦ୍ବାର ଆଲୋଚନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଆଜି ଡାକ୍ତରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶୃତି ଦେଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍ଠା ନାହିଁ ଏବଂ ସେ ଡାକ୍ତରଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି କନିଷ୍ଠ ଡାକ୍ତରଙ୍କ ମିଳିତ ଫୋରମ୍ କହିଛି। ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଥିବାରୁ ରୁଦ୍ଧଦ୍ବାର ବୈଠକ ପାଇଁ ଆମେ ସଚିବାଳୟ ଯିବାକୁ ସୁରକ୍ଷିତ ମଣୁନାହୁଁ ବୋଲି ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି। ଆଲୋଚନା ପାଇଁ କୌଣସି ମନ୍ତ୍ରୀଙ୍କୁ ମଧ୍ୟ ଆମେ ଭେଟିବୁ ନାହିଁ ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍ଆର୍ସି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆସି ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ଡାକ୍ତରମାନେ ଦାବି କରିଛନ୍ତି। ରାଜ୍ୟବ୍ୟାପୀ ଡାକ୍ତରଙ୍କ ଉପରେ ଆକ୍ରମଣ ଏବଂ ଅସୁରକ୍ଷିତ ସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ଏ ଦିଗରେ ଅଧିକ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡାକ୍ତର ସଂଘ କହିଛି। ଅନ୍ୟପକ୍ଷରେ ରାଜ୍ୟରେ ଧର୍ମଘଟ ଯୋଗୁଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଙ୍କଟ ଦେଖାଦେଇଛି। ହସ୍ପିଟାଲଗୁଡ଼ିକରେ କେବଳ ଜରୁରୀ ସେବା ଛାଡ଼ିଦେଲେ ଅନ୍ୟ ଚିକିତ୍ସା ପାଇଁ ଡାକ୍ତର ଉପଲବ୍ଧ ନାହାନ୍ତି। କନିଷ୍ଠ ଡାକ୍ତରଙ୍କ ସମର୍ଥନରେ ରାଜ୍ୟର ୩୦୦ରୁ ଅଧିକ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏମ୍ସ୍ ଡାକ୍ତରଙ୍କ ଚେତାବନୀ
ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ
ପଶ୍ଚିମବଂଗରେ ଆନ୍ଦୋଳନରତ ଡାକ୍ତରଙ୍କ ଦାବି ୪୮ ଘଣ୍ଟା ମଧ୍ୟରେ ପୂରଣ ନହେଲେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହେବ ବୋଲି ଆଜି ଦିଲ୍ଲୀ ଏମ୍ସ ଏବଂ ସଫ୍ଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରାଜ୍ୟ ସରକାର ୪୮ ଘଣ୍ଟା ଭିତରେ ଡାକ୍ତରମାନଙ୍କ ୬ ଦଫା ଦାବି ପୂରଣ ନକଲେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ।