ଦୁବାଇ(ଯୁଏଇ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ଦିନିଆ ପଶ୍ଚିମ ଏସିଆର ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମର ଆଜି ତୃତୀୟ ଦିନ ତଥା ଦ୍ୱିତୀୟ ଚରଣରେ ସେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଗସ୍ତ କରିଛନ୍ତି। ଏହି ଅବସରରେ ଆବୁ ଧାବିର ସମ୍ରାଟ ମହମ୍ମଦ ବିନ୍ ଜୟେଦ ଅଲ୍ ନାହ୍ୟାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ଭାରତୀୟ ତୈଳକମ୍ପାନିମାନଙ୍କ ଦ୍ୱାରା ଆବୁ ଧାବି ଉପକୂଳରେ ୧୦ ପ୍ରତିଶତ ତୈଳଖନନ ମାଲିକାନା ପରି ଐତିହାସିକ ଚୁକ୍ତି ସମେତ ମୋଟ ୫ଟି ରାଜିନାମାରେ ସ୍ୱାକ୍ଷର କରାଇଛନ୍ତି। ସେହିପରି ଆବୁ ଧାବି-ଦୁବାଇ ମଧ୍ୟରେ ମଧ୍ୟପ୍ରାଚ୍ୟର ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ କରିଥିଲେ। ଦୁବାଇରେ ପହଞ୍ଚି ବିଶ୍ୱ ସରକାରୀ ସମ୍ମିଳନୀରେ ନିଜର ଅଭିଭାଷଣ ରଖିବା ସହ ଭାରତୀୟମାନଙ୍କୁ ଉଦ୍ବୋଧନ ମଧ୍ୟ ଦେଇଥିଲେ। ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଜୋର୍ଡାନ୍ରୁ ଆସି ଆବୁ ଧାବିରେ ପହଞ୍ଚିବା ପରେ ବିମାନବନ୍ଦରରେ ସମ୍ରାଟ ମହମ୍ମଦ ବିନ୍ ଜୟେଦ ଅଲ୍ ନାହ୍ୟାନଙ୍କ ସମେତ ଅନ୍ୟ ରାଜପରିବାରର ସଦସ୍ୟଗଣ ଉପସ୍ଥିତ ପୂର୍ବକ ତାଙ୍କୁ ସ୍ୱାଗତ କରିଥିଲେ। ସଂଯୁକ୍ତ ଆରବକୁ ମୋଦିଙ୍କ ଏହି ଦ୍ୱିତୀୟ ଗସ୍ତ ଅବସରରେ ଆବୁ ଧାବି ପ୍ରାସାଦରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ଏହା ପରେ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ର, ରେଳବାଇ, ମାନବ ସମ୍ବଳ ଏବଂ ବିତ୍ତୀୟ ସେବା ସମ୍ପର୍କିତ ପାଞ୍ଚଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ତେବେ ସେଥି ମଧ୍ୟରୁ ଆବୁ ଧାବି ଉପକୂଳରେ ତୈଳଖନନ ମାଲିକାନା ପାଇଁ ଭାରତୀୟ ତୈଳକମ୍ପାନିମାନଙ୍କ ସହ ଆବୁ ଧାବି ଜାତୀୟ ତୈଳ କମ୍ପାନି ମଧ୍ୟରେ ୪୦ ବର୍ଷ(୨୦୧୮-୨୦୧୫) ପାଇଁ ହୋଇଥିବା ରାଜିନାମା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ ହେଉଛି। ଉପକୂଳ ତୈଳକ୍ଷେତ୍ରରେ ଏହା ଭାରତର ପ୍ରଥମ ପୁଞ୍ଜିନିବେଶ ରହିବା ସହ ଏଣିକି ଦୁଇ ଦେଶ ମଧ୍ୟରେ କିଣାବିକାର ସମ୍ପର୍କ ବଦଳରେ ଦୀର୍ଘମିଆଦୀ ପୁଞ୍ଜିଲଗାଣ ବନ୍ଧୁତ୍ୱ ପ୍ରତିପାଦିତ ହେବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ତୈଳଖନନ ମାଲିକାନା ସମେତ ୫ ଚୁକ୍ତି ସ୍ୱାକ୍ଷର
ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ
ରବିବାର ସକାଳେ ମୋଦି ଆବୁ ଧାବିରେ ସାମାଜିକ-ଆଧ୍ୟାତ୍ମିକ ସଂଗଠନ ବୋଚାସନଓ୍ଵାସି ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା(ବାପ୍ସ) ଦ୍ୱାରା ପ୍ରସ୍ତାବିତ ସ୍ୱାମୀ ନାରାୟଣ ମନ୍ଦିରର ଶିଳାନ୍ୟାସ କରିଥିଲେ। ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ୫୫,୦୦୦ ବର୍ଗଫୁଟ ପରିମିତ ଏହି ମନ୍ଦିର କେବଳ ଭାରତୀୟ ଚାରୁକଳା ଓ ସ୍ଥାପତ୍ୟର ନିଦର୍ଶନ ହେବନାହିଁ, ବରଂ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ବହନ କରିବ ବୋଲି ମୋଦି କହିଛନ୍ତି। ପରେ ଦୁବାଇ ସ୍ଥିତ ଅପେରା ହାଉସ୍ଠାରେ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସେହିପରି ବିଶ୍ୱ ସରକାରୀ ସମ୍ମିଳନୀରେ ମୋଦି ନିଜର ଅଭିଭାଷଣ ମାଧ୍ୟମରେ ବିଶ୍ୱସ୍ତରରେ ସମ୍ପ୍ରତି ଦେଖାଦେଇଥିବା କ୍ଷେପଣାସ୍ତ୍ର ଏବଂ ବୋମା ତିଆରି ପ୍ରତିଯୋଗିତା ପାଇଁ ଉଦ୍ବେଗ ପ୍ରକାଶ କରିଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ମାନବଜାତିର ଧ୍ୱଂସ ପାଇଁ ନୁହେଁ ବରଂ ସାମାଜିକ ପ୍ରଗତି ପାଇଁ ଉଦ୍ଦିଷ୍ଟ ବୋଲି ସେ ବିଶ୍ୱ ସମ୍ପ୍ରଦାୟକୁ ପରାମର୍ଶ ଦେଇଥିଲେ।