ସାମାଜିକ ଗଣମାଧ୍ୟମରେ ଆଧାର ସେୟାର୍‌ କରନ୍ତୁ ନାହିଁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ରୋକିବାକୁ ନିଜର ପାନ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ ଚେକ୍‌ ଆଦିର ବିବରଣୀ ପ୍ରଘଟ ନ କରିଲା ଭଳି ବ୍ୟବହାରକାରୀମାନେ ସେମାନଙ୍କ ଆଧାର ନମ୍ବର ମଧ୍ୟ ଇଣ୍ଟର୍‌ନେଟ୍‌ କିଂବା ସାମାଜିକ ଗଣମାଧ୍ୟମରେ ସେୟାର୍‌ କରନ୍ତୁ ନାହିଁ ବୋଲି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କହିଛି।

କେତେକ ପ୍ରଶ୍ନର ଉତ୍ତର ଦେଇ ୟୁଆଇଡିଏଆଇ କହିଛି ଯେ ଆଧାର ନମ୍ବର ସେୟାର୍‌ ନ କରିବାର ଅର୍ଥ ନୁହେଁ ଯେ ସେ ନମ୍ବରକୁ ମୁକ୍ତ ଭାବେ ବ୍ୟବହାର ନ କରିବା। ନିଜର ପରିଚୟ ପ୍ରମାଣ ପ୍ରଦାନ କରିବା ସମୟରେ ଜଣେ ବିନା ଦ୍ୱିଧାରେ ଆଧାର ନମ୍ବର ବ୍ୟବହାର କରି ପାରିବେ। ଠିକ୍‌ ଯେମିତି ଆର୍ଥିକ କାରବାର ସମୟରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର, ପାନ୍‌ କାର୍ଡ, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ବ୍ୟବହାର କରାଯାଏ।

ଆବଶ୍ୟକ ବେଳେ ନିଜର ପରିଚୟ ଜାହିର କରିବାକୁ ନିର୍ଭୟରେ ଜଣେ ଆଧାର ନମ୍ବର ବ୍ୟବହାର କରି ପାରିବେ। କିନ୍ତୁ ଉପରୋକ୍ତ ଜିନିଷଗୁଡ଼ିକ ବ୍ୟବହାର କରିବା ବେଳେ ଯେମିତି ସତର୍କତା ଅବଲମ୍ବନ କରିବାକୁ ହୁଏ, ଊଣା ଅଧିକେ ସେପରି କରିବେ।

ଟ୍ରାଇ ଅଧ୍ୟକ୍ଷ ଆର୍‌ ଏସ୍‌ ଶର୍ମା ନିଜର ଆଧାର ନମ୍ବର ସାମାଜିକ ଗଣମାଧମରେ ପୋଷ୍ଟ୍‍ କରିବା ପରେ ୟୁଆଇଡିଏଆଇ କର୍ତ୍ତୃପକ୍ଷ ଏ ଭଳି ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି କି, ସାମାଜିକ ଗଣମାଧ୍ୟମରେ ଆଧାର ନମ୍ବର ଛାଡ଼ିବା ଏକ ଦୁଃସାହସିକ କାର୍ଯ୍ୟ, ଏହା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଆଧାର ନମ୍ବର ଜାଣି କେହି ତା’ର ଅପବ୍ୟବହାର କରି କିଛି କ୍ଷତି କରି ପାରିବେ କି, ବୋଲି ପଚାରିବାରୁ ୟୁଆଇଡିଏଆଇ କହିଲେ ଯେ ତାହା ସମ୍ଭବ ନୁହେଁ। କିନ୍ତୁ, ଆଧାର ପରିଚୟ ଅଧିକ ବିଶ୍ୱାସଯୋଗ୍ୟ ହୋଇଥିବାରୁ ଏହାକୁ ସତର୍କତାର ସହ ବ୍ୟବହାର କରାଯିବା ଉଚିତ।

ସମ୍ବନ୍ଧିତ ଖବର