ଦେଶରେ ଗୋଟିଏ ଆଇନ ପାଇଁ ପ୍ରୟାସ ହେଉନାହି: ସୁପ୍ରିମ୍‌ କୋର୍ଟ

ସମାନ ନାଗରିକ ସଂହିତା ପୁଣି ଚର୍ଚ୍ଚାରେ, ଗୋଆକୁ ଉଦାହରଣ ଭାବେ ନେଲେ ଖଣ୍ଡପୀଠ

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍‌ କୋଡ୍‌ (ସମାନ ନାଗରିକ ସଂହିତା)କୁ ନେଇ ସୁପ୍ରିମ୍‌ କୋର୍ଟ ଆଜି ଦେଇଥିବା ଏକ ଟିପ୍ପଣୀ ଏ ବାବଦ ଚର୍ଚ୍ଚାକୁ ପୁଣି ଥରେ ସରଗରମ କରିଛି। ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବା ଦିଗରେ କୌଣସି ପ୍ରୟାସ ଏ ପର୍ଯ୍ୟନ୍ତ ହୋଇନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଜଷ୍ଟିସ ଅନିରୁଦ୍ଧଙ୍କ ଖଣ୍ଡପୀଠ ଏହି ମାମଲାରେ ଭାରତୀୟ ରାଜ୍ୟ ଗୋଆର ଉଦାହରଣ ଦେଇଥିଲେ। ଗୋଆରେ ସମସ୍ତ ଧର୍ମ ନିର୍ବିଶେଷରେ ଗୋଟିଏ ଆଇନ ସଫଳତାର ସହ ଲାଗୁ ହୋଇଛି ଏବଂ ଏହା ଏ ଦିଗରେ ବଳିଷ୍ଠ ଉଦାହରଣ ବୋଲି କୋର୍ଟ କହିଥିଲେ। ଆଜି ସୁପ୍ରିମ୍‌ କୋର୍ଟ ଏକ ସମ୍ପତ୍ତି ବିବାଦର ଶୁଣାଣି ବେଳେ କହିଥିଲେ ଯେ ଗୋଆରେ ସମାନ ନାଗରିକ ସଂହିତାର ଉପସ୍ଥିତି ଥିବା ବେଳେ ଭାରତର ଅନ୍ୟ କୌଣସି ସ୍ଥାନରେ ଏଭଳି ଆଇନ ନାହିଁ। ସମ୍ବିଧାନର ଧାରା ୪୪ରେ ଦେଶରେ ସମାନ ନାଗରିକ ସଂହିତା ପାଇଁ ପ୍ରୟାସ କରାଯିବ ବୋଲି ଉଲ୍ଲେଖ ରହିଛି, କିନ୍ତୁ ଆଜି ପର୍ଯ୍ୟାନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି କୋର୍ଟ କହିଛନ୍ତି।

ମୋଦୀ ସରକାର ତିନି ତଲାକ୍‌ ବିଲ୍‌ ଗୃହୀତ କରାଇ ସାରିଥିବାରୁ ଏବେ ନିଜ ଏଜେଣ୍ଡାରେ ସମାନ ନାଗରିକ ସଂହିତାକୁ ସାମିଲ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ମୋଦୀ ସରକାରଙ୍କ ପୂର୍ବ କାର୍ଯ୍ୟକାଳରେ ମଧ୍ୟ ଏହି ମାମଲାରେ ରାୟ ସଂଗ୍ରହ ପାଇଁ ଏକ କମିସନ ମଧ୍ୟ ଗଠନ କରାଯାଇଥିଲା ଏବଂ କମିସନ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇସାରିଛନ୍ତି। ତେବେ ବିରୋଧ ଯୋଗୁଁ ସରକାର ଏହି ମାମଲା ଆଗକୁ ବଢ଼ାଇ ନେଇଥିଲେ। ଏବେ ରାଜ୍ୟସଭାରେ ସରକାରଙ୍କ ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ଥିବାରୁ ସମାନ ନାଗରିକ ସଂହିତା ଉପରେ ଫୋକସ୍‌ କରିବେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର