ସ୍କୁଲ୍‌ କଲେଜରେ ଶିକ୍ଷା-ବର୍ହିଭୁତ କୌଣସି କାର୍ଯ୍ୟକ୍ରମ କର ନାହିଁ: ମାଡ୍ରାସ୍‌ ହାଇକୋର୍ଟ

ନୂଆଦିଲ୍ଲୀ: ଶିକ୍ଷା-ବର୍ହିଭୁତ କୌଣସି କାର୍ଯ୍ୟକ୍ରମ ନିମନ୍ତେ ସ୍କୁଲ୍‌, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆକୁ ବ୍ୟବହାର ନ କରିବାକୁ ମାଡ୍ରାସ୍‌ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଯେ କୌଣସି ଶିକ୍ଷାନୁଷ୍ଠାନ ସ୍ୱଚ୍ଛନ୍ଦରେ ଚାଲିବା ଉଚିତ। ଏଥିରେ ସରକାରଙ୍କ ତରଫରୁ କୌଣସି ହସ୍ତକ୍ଷେପ କରାଯିବା କଥା ନୁହେଁ। ଶୈକ୍ଷିକ ବାତାବରଣ ବଜାୟ ରଖାଯିବା ଉଚିତ। ତାହାକୁ ଭଙ୍ଗ କରିବା ଅନୁଚିତ। ନିଜର କୃତ୍ୱିତ୍ୱ ଆଦି ପ୍ରର୍ଦଶନ କରିବାକୁ ସରକାର ଶିକ୍ଷାନୁଷ୍ଠାନ ବ୍ୟତିରେକେ ଅନ୍ୟ ସ୍ଥାନ ଚୟନ କରି ପାରିବେ ବୋଲି ଜଷ୍ଟିସ୍‌ କିରୁବାକରଣ କହିଛନ୍ତି।

ଡିସେମ୍ବର ପହିଲାରେ କାତିରବେଲ୍‌ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଅଦାଲତ ଏ କଥା କହିଛନ୍ତି। କୃତ୍ୱିତ୍ୱ ଏବଂ ଯୋଜନା ସଂକ୍ରାନ୍ତରେ ଏକ ପ୍ରଦର୍ଶନୀ ସକାଶ ସରକାର ଚିକ୍କନ୍ନା ସରକାରୀ କଳା ମହାବିଦ୍ୟାଳୟ ପଡ଼ିଆରେ ୪୫ ଦିନ ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରିଥିଲେ। ଏହାକୁ ବନ୍ଦ କରାଇବା ପାଇଁ ଉକ୍ତ ବ୍ୟକ୍ତି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ, ଅଦାଲତ ସେଠାରେ ପ୍ରଦର୍ଶନୀ ଚାଲୁ ରଖିବାକୁ ସରକାରଙ୍କୁ ଅନୁମତି ଦେଇଛନ୍ତି। କାରଣ, ଆବେଦନକାରୀ ଶେଷ ମୁହୂର୍ତ୍ତରେ ଅଦାଲତକୁ ଆସିଥିବାରୁ ପ୍ରଦର୍ଶନୀକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ଆୟୋଜକଙ୍କ ପାଖରେ ଯଥେଷ୍ଟ ସମୟ ନାହିଁ।

ସମ୍ବନ୍ଧିତ ଖବର