ବିନା ସଂଶୋଧନରେ ତିନି ତଲାକ୍ ବିଲ୍ ଲୋକସଭାରେ ପାରିତ
‘ଦେଶର ମହିଳାମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଭାଇ ରହଥିବା ପର୍ଯ୍ୟନ୍ତ, ସେମାନଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ’: ସାଂସଦ ଲେଖି
ନୂଆଦିଲ୍ଲୀ: ତିନି ତଲାକ୍ ସଂକ୍ରାନ୍ତୀୟ ଚିଠା ବିଲ୍ ଆଜି ସଂସଦର ଲୋକସଭାରେ ପାରିତ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ପକ୍ଷରୁ ଲୋକସଭାରେ ଆଗତ ଏହି ବିଲ୍ ଉପରେ ମତରଖି ଦଳର ସାଂସଦମାନେ କହିଛନ୍ତି ଯେ ମୁସଲମାନ୍ ମହିଳାମାନଙ୍କର ସଶକ୍ତୀକରଣ ପାଇଁ ତିନି ତଲାକ ବିଲ୍ର ଘୋର ଆବଶ୍ୟକତା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶାସକ ଦଳ (ଟ୍ରେଜେରି ବେଞ୍ଚ୍) ପକ୍ଷରୁ ଏହି ଚିଠା ବିଲ୍ ଉପରେ ଆରମ୍ଭ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ବିଜେପି ସାଂସଦ ମିନାକ୍ଷୀ ଲେଖି କହଛନ୍ତି ଯେ, ଯେ ପର୍ଯ୍ୟନ୍ତ ଭାରତୀୟ ମହିଳାମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଭାଇ ରହିଛନ୍ତି, ସେତେବେଳେ ପର୍ଯ୍ୟନ୍ତ ସେମାନଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ। ‘ବିଶେଷ କରି ମୁସଲମାନ ମହିଳାମାନଙ୍କୁ ମୁଁ ଆଶ୍ୱାସନା ଦେଇ କହିବାକୁ ଚାହେଁ ଯେ ନରେନ୍ଦ୍ର ମୋଦିଙ୍କ ପରି ଭାଇ ସେମାନଙ୍କ ପାଖରେ ଯେପର୍ଯ୍ୟନ୍ତ ଅଛନ୍ତି, ସେମାନେ ଆଉ କାହାରିକି ଭୟ କରିବାର କୌଣସି ପ୍ରକାରର କାରଣ ନାହିଁ’ ବୋଲି କହିଛନ୍ତି ସାଂସଦ ଲେଖି।
ଆଗତ ଚିଠା ବିଲ୍କୁ ଦୃଢ଼ ସମର୍ଥନ କରି ସାଂସଦ ଲେଖି କହିଲେ ଯେ ଏ ଦେଶରେ ମହିଳାମାନେ ହେଉଛନ୍ତି ସବୁଠାରୁ ବଡ଼ ସଂଖ୍ୟାଲଘୁ। ଏହି କାରଣରୁ, ସେମାନେ ଅତ୍ୟାଚାରିତ ହେବା ସହ ସେମାନଙ୍କ ଉପରେ ଦମନ ଚାଲୁଛି। ତେଣୁ, ଏଥିରୁ ଏବେ ମୁକ୍ତ ହେବାର ସମୟ ଆସିଛି। ଯେଉଁମାନେ ଧର୍ମର ଆଳ ଦେଖାଇ ଏହି ବିଲ୍କୁ ବିରୋଧ କରୁଛନ୍ତି ସେମାନଙ୍କର ତୀବ୍ର ବିରୋଧ କରି ସାଂସଦ ଲେଖି କହିଲେ ଯେ ତଲାକ୍-ଇ- ବିଦତ୍ତର ଧର୍ମ ସହିତ କୌଣସି ପ୍ରକାରର ସଂପର୍କ ନାହିଁ। ଏହା କେବଳ ମାତ୍ର ଏକ ପ୍ରଥା ଓ ପରଂପରା।
ଏହି ବିଲ୍କୁ ସଂସଦରେ ଆଗତ କରିବା ଅବସରରେ ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଏହି ବିଲ୍ର ଧର୍ମ ସହିତ କୌଣସି ପ୍ରକାରର ସଂପର୍କ ନାହିଁ; ଏହା କେବଳ ମାତ୍ର ମହିଳାଙ୍କ ସମ୍ମାନ ଆଇନ୍ ସହ ଜଡ଼ିତ। ଗତ ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ନିଜ ରାୟରେ ତିନି ତଲାକ୍କୁ ‘ଅଣସାମ୍ବିଧାନକ’ ବୋଲି ଘୋଷଣା କରିବା ପରେ ସୁଦ୍ଦା ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୬ଟି ତିନି ତଲାକ୍ ମାମଲା ଘଟି ସାରିଲାଣି। ଏହି ବିଲ୍ ଗୃହୀତ ହେଲେ ଆଗାମୀ ପିଢ଼ି ବହୁ ଭାବେ ଉପକୃତ ହୋଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରସାଦ ସଂସଦକୁ ସୂଚନା ଦେଇଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତିନି ତଲାକ୍ ପ୍ରଥାକୁ ଅଣସାମ୍ବିଧାନିକ ଘୋଷଣା କରିବା ପରେ ମଧ୍ୟ ଏପ୍ରକାରର ପ୍ରଥା ଚାଲୁ ରହି ଥିବାରୁ ଏହାକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ବିଲ୍ ଆଗତ କରାଯାଇଛି ବୋଲି ସେ ସଂସଦକୁ ସୂଚନା ଦେଇଥିଲେ।
ବିରୋଧୀ ଦଳର ସାଂସଦମାନେ ଏହି ଚିଠା ବିଲ୍ର ବିରୋଧ କରିବା ସହ ଚିଠା ବିଲ୍ରେ କେତେକ ସଂଶୋଧନ କରିବାକୁ ଦାବି କରିଥିଲେ। ବିରୋଧୀ ଦଳ ପକ୍ଷରୁ ଏହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ପ୍ରସ୍ତାବ ଦିଅାଯାଇଥିଲା। ତେବେ ଅାଲୋଚନା ଶେଷରେ ବହୁମତରେ ବିନା ସଂଶୋଧନରେ ତିନି ତଲାକ୍ ବିଲ୍ ଲୋକସଭାରେ ପାରିତ ହୋଇଥିଲା।