ଜମ୍ମୁ-କଶ୍ମୀର: ଘାଟୀରୁ ଖସିଲା ଗାଡ଼ି, ଚାଳକଙ୍କ ସମେତ ୫ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାମବାନ ଜିଲ୍ଳାରେ ଶନିବାର ଅପରାହ୍ନରେ ଘାଟୀରୁ ଏକ ଗାଡ଼ି ଖସି ପଡ଼ିବା ପରେ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ସମେତ ସମୁଦାୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ୫ ଜଣ ମୃତକଙ୍କ ବ୍ୟତୀତ ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି। ମୃତକମାନେ ହେଉଛନ୍ତି ମହମ୍ମଦ ଇକ୍‌ବାଲ୍‌ ଜରାଲ୍‌, ଜାଭେଦ ଅହମ୍ମଦ ଜରାଲ(ଗାଡ଼ି ଚାଳକ), ତରଦା ଦେବୀ, ସାନ୍‌ଭୀ ଦେବୀ ଓ ନିଲୋଫର୍‌ ବାନୋ।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଗାଡ଼ିଟି ଉଖରାଲ ଅଞ୍ଚଳରୁ ଆଲିନ୍‌ବାସ୍‌ ଆଡ଼େ ଯାଉଥିଲା। ବାଟରେ ଏକ ଘାଟୀରୁ ଖସିପଡ଼ିବା ପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ମିଶି ପୁଲିସ୍‌ରେ ଖବର ଦେଇଥିଲେ। ପୁଲିସ୍‌ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର