ପରୀକ୍ଷା ପାଇଁ ଅଧାବାଟରେ ଓହ୍ଲାଇପଡ଼ିଲେ ବସ କଣ୍ଡକ୍ଟର, ଚାଲିଗଲା ଚାକିରି

ଅହମଦାବାଦ: ଗୁଜୁରାଟ ରାଜ୍ୟ ସଡକ ପରିବହନ ନିଗମର କାର୍ଯ୍ୟରତ କଣ୍ଡକ୍ଟର ନିଜ ପରୀକ୍ଷା ପାଇଁ ଚାକିରି ହରାଇଛନ୍ତି | ଘଟଣାଟି କିଛି ଏହିପରି | ରାଜ୍ୟ ସଡକ ପରିବହନ ନିଗମର ବସ କଣ୍ଡକ୍ଟର ନୀଲେସ ରାବଡୀଙ୍କର ୨୦୧୨ ମସିହା ଏପ୍ରିଲ ୨୮ ତାରିଖରେ ହଲୋଲରୁ ଅହମଦାବାଦ ଯାଉଥିବା ବସରେ ଡ୍ୟୁଟି ଥିଲା | କିନ୍ତୁ ସେହିଦିନ ନୀଲେସଙ୍କର ସ୍ନାତୋକୋତ୍ତର(ଏମଏ) ପରୀକ୍ଷା ଦେବାର ଥିଲା | ପରୀକ୍ଷା ଦେବା ପାଇଁ ନୀଲେସ ରାସ୍ତା ମଝିରେ ବସରୁ ଓହ୍ଲାଇପଡ଼ିଥିଲେ | ନିଜ ବଦଳରେ ସମ୍ପର୍କୀୟ ଭାଇଙ୍କୁ ବସ ଭଡା ସଂଗ୍ରହ ପାଇଁ ନିୟୋଜିତ କରିଦେଇଥିଲେ | ଯେତେବେଳେ ବସର ଡ୍ରାଇଭର ନୀଲେସଙ୍କ ବଦଳରେ ତାଙ୍କ ଭାଇଙ୍କୁ ଦେଖିଥିଲେ ସେ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ |

ବସଟି ଅହମଦାବାଦ ଡିପୋରେ ପହଁଚିବା ପରେ ନୀଲେସଙ୍କ ବିରୋଧରେ ବସ ନିଗମ ପକ୍ଷରୁ କର୍ତ୍ତବ୍ୟର ଅବହେଳା ଓ ଠକେଇ ନେଇ ଅଭିଯୋଗ ହୋଇଥିଲା | ନୀଲେସଙ୍କ ନାମରେ ଆଇପିସି ୧୧୪ ଧାରାରେ ମୋକଦ୍ଦମା ରୁଜୁ କରାଯାଇଥିଲା | ନୀଲେସ ଏହି ଅଭିଯୋଗକୁ ଅସ୍ବୀକାର କରିଥିଲେ ବି ୨୦୧୭ ମସିହାରେ ମେଟ୍ରୋପଲିୟନ କୋର୍ଟ ତାଙ୍କୁ ଦୋଷୀ ମାନିଥିଲେ |

ନୀଲେସଙ୍କୁ ଚାକିରିରୁ ବହିଷ୍କାର କରିବାର ନିର୍ଦ୍ଦେଶ ଦେବା ସହ ବର୍ଷେ ଯାଏଁ ଜେଲ ଦଣ୍ଡ ଶୁଣାଇଥିଲେ | ଏହାକୁ ନେଇ ଜିଲ୍ଲା ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ | ଜିଲ୍ଲା ନ୍ୟାୟାଳୟ ଚାକିରିରୁ ବହିଷ୍କାର ରାୟକୁ କାୟମ ରଖିଥିବାବେଳେ କାରାବାସ ରାୟକୁ ଖାରଜ କରିଦେଇଥିଲେ | ନୀଲେସଙ୍କୁ ୨୦ ହଜାର ତାଙ୍କ ମୁଚାଲିକାରେ ମୁକ୍ତ କରିଦେଇଛନ୍ତି | କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ଯେ କମ ବୟସରେ ନୀଲେସ ଲମ୍ବା ଆଇନଗତ ପ୍ରକ୍ରିୟାର ସାମ୍ନା କରିଥିବାବେଳେ ତାଙ୍କ ଆଚରଣ ମଧ୍ୟ ଭଲ ରହିଥିଲା | ତେଣୁ ବର୍ଷକର କାରାବାସ ରାୟକୁ ଖାରଜ କରିଦିଆଯାଇଛି |

ସମ୍ବନ୍ଧିତ ଖବର