ଇଥିଓପିଆରେ ବିମାନ ଦୁର୍ଘଟଣା, ୧୫୭ ମୃତ

ମୃତକଙ୍କ ମଧ୍ୟରେ ୪ ଭାରତୀୟ ଯାତ୍ରୀ

ନାଇରୋବି: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ଆଜି ଉଡ଼ାଣ ଆରମ୍ଭ କରିବାର ୬ ମିନିଟ୍‌ ମଧ୍ୟରେ ଦୁର୍ଘଟଣାର ଶିକାର ହେବାରୁ ଏଥିରେ ଥିବା ସମସ୍ତ ୧୫୭ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୪୯ ଜଣ ଯାତ୍ରୀ ଏବଂ ୮ ଜଣ ପରିଚାଳକ ଦଳ ସଦସ୍ୟ ସାମିଲ ଅଛନ୍ତି । ଇଥିଓପିଆର ଆଦିସ୍‌ ଆବାବାରୁ ନାଇରୋବି ଅଭିମୁଖେ ଯାତ୍ରା କରୁଥିବା ଏହି ବୋଇଂ-୭୩୭ ବିମାନଟି ସକାଳ ୮ଟା ୪୪ରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ବିମାନରେ ୩୩ଟି ଦେଶର ଯାତ୍ରୀ ଥିଲେ ବୋଲି ଇଥିଓପିଆ ଏୟାରଲାଇନ୍ସ ସୂତ୍ରରୁ ଜଣାପଡ଼ିଛି। ବିମାନର ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଇଥିଓପିଆ ସରକାରୀ ଟେଲିଭିଜନ ପ୍ରଚାର କରିଥିବା ବେଳେ ଯାତ୍ରୀମାନଙ୍କ ବିବରଣୀ ମଧ୍ୟ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଯାତ୍ରୀ ରହିଛନ୍ତି। ଚୀନ୍‌ ସରକାରୀ ଗଣମାଧ୍ୟମ କହିଛି ଯେ ଏହି ଦୁର୍ଘଟଣାରେ ଚୀନ୍‌ର ୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିରେ କେନିଆର ସର୍ବାଧିକ ୩୨ ଜଣ, କାନାଡ଼ାର ୧୮ ଜଣ, ଇଥିଓପିଆର ୯ ଜଣ, ଇଟାଲିର ୮ ଜଣ, ଅମେରିକାର ୮ ଜଣ, ବ୍ରିଟେନର ୭ ଜଣ, ଫ୍ରାନ୍ସର ୭ ଜଣ, ଇଜିପ୍ଟର ୬ ଜଣ, ରୁଷ୍‌ର ୩ ଜଣ ଯାତ୍ରୀ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେହିପରି ବେଲଜିୟମ, ଇଣ୍ଡୋନେସିଆ, ସୋମାଲିଆ, ନରୱେ, ସର୍ବିଆ, ସୁଦାନ, ଉଗାଣ୍ଡା, ୟେମେନ ଆଦି ରାଷ୍ଟ୍ରର ଜଣେ ଲେଖାଏଁ ଯାତ୍ରୀ ପ୍ରାଣ ହରାଇଛନ୍ତି। ସୂଚନାନ ଥାଉ କି, ଇଥିଓପିଆ ଏୟାରଲାଇନ୍ସ ଆଫ୍ରିକାର ସବୁଠାରୁ ବଡ଼ ବିମାନ ସେବା ସଂସ୍ଥା ଭାବେ ପରିଚିତ। ଏହି ଦୁର୍ଘଟଣାରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଏବି ଅହମଦ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହା ପୂର୍ବରୁ ୨୦୧୦ରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା। ବିରୁଟ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ବୋଇଂ ମାତ୍ର କିଛି ମିନିଟ୍‌ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା। ଗତ ବର୍ଷ ଅକ୍ଟୋବର ମାସରେ ଇଣ୍ଡୋନେସିଆ ଏୟାରଲାଇନ୍ସର ଏକ ବିମାନ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିବାର ୧୩ ମିନିଟ୍‌ ପରେ ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଏଥିରେ ଯାତ୍ରା କରୁଥିବା ସମସ୍ତ ୧୮୯ ଯାତ୍ରୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର