ଦେଶକୁ କେବେ ଆସିଲା କରୋନା? ଜାନୁୟାରୀ ପୂର୍ବରୁ ଚୀନରୁ ଭାରତ ଆସୁଥିବା ଯାତ୍ରୀଙ୍କ ଜରିଆରେ ଆରମ୍ଭ ହୋଇଥିଲା କି ସଂକ୍ରମଣ ?

ନୂଆଦିଲ୍ଲୀ:  କରୋନା ପାଇଁ ଲଢେଇ କରୁଛି ଦେଶ । ଦେଶରେ ଜାନୁଆରୀ ୩୦ ତାରିଖରେ କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା । ଜାତୀୟ ଗଣମାଧ୍ୟମ ଅନୁସାରେ,  କରୋନା ଭୂତାଣୁ ନେଇ ଗବେଷଣା କରୁଥିବା ଦେଶର  ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଭାରତରେ ନଭେମ୍ବର ଡିସେମ୍ବରରେ ହିଁ କରୋନା ପହଂଚିସାରିଥିଲା । ବୈଜ୍ଞାନିକଙ୍କ ଅନୁମାନ ୨୬ ନଭେମ୍ବରରୁ ୨୫ ଡିସେମ୍ବର ମଧ୍ୟରେ ଭାରତ ଆସିଥାଇପାରେ କରୋନା ଭୂତାଣୁ । ତେଲେଙ୍ଗାନା ଓ ଅନ୍ୟ ରାଜ୍ୟରେ ବ୍ୟାପୁଥିବା କରୋନା ଭୂତାଣୁ ନଭେମ୍ବର ବା ଡିସେମ୍ବର ମାସରେ ଆସିଥିବା ସମ୍ଭାବନା ରହିଛି । ତେଣୁ ପ୍ରଶ୍ନ ଉଠୁଛି ଜାନୁୟାରୀ ପୂର୍ବରୁ ଚୀନରୁ ଭାରତ ଆସୁଥିବା ଯାତ୍ରୀଙ୍କ ଜରିଆରେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା କି ?

ତେବେ ଏହାର କୌଣସି ସଠିକ ପ୍ରମାଣ ମିଳି ନାହିଁ । କାରଣ ସେହି ସମୟରେ ଭାରତରେ ବ୍ୟାପକ ଭାବେ କରୋନା ଟେଷ୍ଟିଂ ହେଉ ନଥିଲା । ହାଇଦ୍ରାବାଦର ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ଭାରତରେ ବ୍ୟାପୁଥିବା କରୋନାର ଆସିବା ସମୟର ଅନୁମାନ କରିଛି । ଏହାଛଡା ଭାରତରେ ବ୍ୟାପୁଥିବା କରୋନା ଭୂତାଣୁର ନୂଆ ରୂପକୁ ମଧ୍ୟ ଠାବ କରିଛି, ଯାହାର ନାମ ରଖାଯାଇଛି ଏ-ଥ୍ରି ଆଇ ।

କେରଳରେ ପ୍ରଥମ ରୋଗୀଙ୍କୁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଯାଞ୍ଚ ପରେ ଏହା ଚୀନର ଉହାନର କରୋନା ଭୂତାଣୁ ସହ ମେଳ ଖାଇଥିଲା । ହେଲେ ହାଇଦ୍ରାବାଦରେ ଚିହ୍ନଟ କରୋନା ରୋଗୀଙ୍କ ଭୂତାଣୁର ଉତ୍ପତ୍ତି ଚୀନ ନୁହେଁ ବରଂ ଏହା ଦକ୍ଷିଣ ପୂର୍ବ ଏସିଆରୁ ଆସିଥିବା ଅନୁମାନ କରାଯାଉଛି । ଏ-ଥ୍ରି ଆଇ କରୋନା ଭୂତାଣୁ କେଉଁ ଦେଶରୁ ଆସିଛି ଜଣାପଡି ନଥିବା ବେଳେ ଏହାର ଉତ୍ପତ୍ତି ଚୀନ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ବୈଜ୍ଞାନିକ । ଏବେ ଠାବ ହୋଇଥିବା ନୂଆ ରୁପର କରୋନା ଭୂତାଣୁ ବା ଏ-ଥ୍ରି-ଆଇ ବିଶେଷ କରି ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ବ୍ୟାପିବାରେ ଲାଗିଛି ।

ସମ୍ବନ୍ଧିତ ଖବର