ଯବାନଙ୍କୁ ହତ୍ୟା ପାଇଁ ବୋମା ଖଞ୍ଜୁଥିଲେ, ବିସ୍ଫୋରଣରେ ନିଜେ ଉଡିଗଲେ

କାଙ୍କେର: ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ବୋମା ଖଞ୍ଜୁଥିବାବେଳେ ବିସ୍ଫୋରଣରେ ଚାଲିଗଲା ଜଣେ ନକ୍ସଲଙ୍କ ଜୀବନ | ଆଉ ଏହି ଘଟଣାରେ ଦୁଇ ଜଣ ନକ୍ସଲ ଗୁରୁତର ଆହତ ହୋଇଛନ୍ତି | ଛତିଶଗଡ଼ର କାଙ୍କେରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କାଙ୍କେରର ଅମାବେଡାରେ ଫେବୃୟାରୀ ୧୮ ତାରିଖ ଦିନ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ପ୍ରେସର ବୋମା ଖଞ୍ଜୁଥିଲେ | ତେବେ ଏହି ପ୍ରେସର ବୋମା ଅଚାନକ ବିସ୍ଫୋରଣ ହୋଇଥିଲା | ଏହି ଘଟଣାରେ ଜଣେ ନକ୍ସଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନକ୍ସଲ ଗୁରୁତର ଆହତ ହୋଇଥିଲେ |

ବଡ କଥା ଯେ ଏହି ଦୁର୍ଘଟଣା ବାବଦରେ ଖୋଦ ନକ୍ସଲ ନେତା ସୂଚନା ଦେଇଛନ୍ତି | ସ୍ଥାନୀୟ ଅଂଚଳରେ ନକ୍ସଲ ନେତା ସୁଖଦେବ କାବାଡେଙ୍କ ପକ୍ଷରୁ ବଣ୍ଟାଯାଇଥିବା ପୋଷ୍ଟରରେ ଲେଖାଯାଇଛି ଯେ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ବିଏସଏଫ କ୍ୟାମ୍ପ ରହିଛି | ଆଉ ଯବାନମାନେ ଯେତେବେଳେ କମ୍ବିଙ୍ଗ ଅପରେସନରେ ଯିବେ, ସେମାନଙ୍କୁ ଟାର୍ଗେଟ କରିବା ପାଇଁ ପ୍ରେସର ବୋମା ଖଞ୍ଜିବାକୁ ନକ୍ସଲମାନେ ଯୋଜନା କରିଥିଲେ | ସେଥିପାଇଁ ୩ ଜଣ ନକ୍ସଲଙ୍କୁ ଦାୟିତ୍ୱ ଦିଆଯାଇଥିଲା |

ଏହି ତିନିଜଣ ଏକ ସେତୁ ନିକଟରେ ପ୍ରେସର ବୋମା ଖଞ୍ଜୁଥିବାବେଳେ ହଠାତ ଏହା ଫୁଟିଯାଇଥିଲା | ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ମୃତ ନକ୍ସଲଙ୍କର ଖଣ୍ଡ ବିଖଣ୍ଡିତ ଶରୀର ଚାରିଆଡେ ବିଛାଡ଼ି ହୋଇପଡ଼ିଥିଲା | ଏହା ସହ ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା | ସୂଚନା ଥାଉ କି ଛତିଶଗଡ଼ରେ ସୁରକ୍ଷାବାହିନୀ ନକ୍ସଲଙ୍କୁ କଡା ଜବାବ ଦେବାରେ ଲାଗିପଡିଛନ୍ତି | ଘନ ଘନ କମ୍ବିଙ୍ଗ ଅପରେସନ ସହ ବିପୁଳ ବିସ୍ଫୋରକ ଜବତ କରାଯାଉଥିବାରୁ ନକ୍ସଲଙ୍କ କ୍ୟାମ୍ପରେ ଭାଳେଣି ପଡିଛି |

ସମ୍ବନ୍ଧିତ ଖବର